ଚାକିରି ପାଇଁ ଜମି ଦୁର୍ନୀତି ମାମଲା : ଲାଲୁଙ୍କ ପରିବାର ଉପରେ ରେଡ; ୬୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ ହୋଇଥିବା କହିଲା ଇଡି

124

 ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାର ଉପରେ ରେଡ । ୧୪ ଘଣ୍ଟାର ରେଡ୍ ପରେ ଇଡି କହିଛି, ୬୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ ହୋଇଛିି । ଯେଉଁଥିରେ ଦେଢ କିଲୋ ସୁନା ଗହଣା ଜବତ ହୋଇଛି । ସନ୍ଦେହରେ ୨୦୦ କୋଟିର ଜମି ରହିଛି । ସେପଟେ ଇଡିର ଦାବିକୁ ଖାରଜ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ । ଇଡି ମିଛ କହୁଛି ବୋଲି ସେ କହିଛନ୍ତି ।

ଇଡି କହିଛି, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ବଙ୍ଗଳା ମାତ୍ର ୪ ଲକ୍ଷ ଟଙ୍କାରେ କିଣାଯାଇଥିଲା । କିନ୍ତୁ ଏହି ବଙ୍ଗଳାର ବଜାର ଦର ଏବେ ୧୫୦ କୋଟି ଟଙ୍କା । ୪ ମହଲା ବିଶିଷ୍ଟ ଏହି ବଙ୍ଗଳା ଏବି ଏକ୍ସପୋର୍ଟ୍ସ ପ୍ରାଇଭେଟ ଲିମିଟେଡ୍ ନାମରେ ପଞ୍ଜିକରଣ ହୋଇଛି । ଏବେ ଏହା ତେଜସ୍ୱୀ ଯାଦବ ଏବଂ ତାଙ୍କ ପରିବାରର ମାଲିକାନାରେ ରହିଛି । ଏହି ସମ୍ପତି କିଣିବାରେ ବଡ଼ ଧରଣର ଦୁର୍ନୀତି ଏବଂ ହେରଫେର ହୋଇଛି ବୋଲି ଇଡି ସନ୍ଦେହ କରିଛି । କାଗଜପତ୍ରରେ ଏହି ସମ୍ପତି ଏବି ଏକ୍ସପୋର୍ଟ୍ସ ଏବଂ ଏକେ ଇନଫୋସିଷ୍ଟମ୍ସର ବୋଲି ଘୋଷଣା ହୋଇଛି । କିନ୍ତୁ ତେଜସ୍ୱୀ ଯାଦବ ଏହି ଘରେ ରହୁଛନ୍ତି ।

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି ୨୪ଟି ସ୍ଥାନରେ ଚଢ଼ଉ କରିବା ପରେ ଗତକାଲି ଏହି ସୂଚନା ଦେଇଛି । ଶୁକ୍ରବାର ଚଢ଼ଉ ସମୟରେ ଇଡି ତେଜସ୍ୱୀ ଏବଂ ତାଙ୍କ ଭଉଣୀମାନଙ୍କ ଘରୁ ନଗଦ ୧ କୋଟି ଟଙ୍କା, ୧୯୦୦ ଆମେରିକୀୟ ଡଲାର ସମେତ ଅନ୍ୟାନ୍ୟ ବିଦେଶୀ ମୁଦ୍ରା ଏବଂ ଦେଢ଼ କିଲୋରୁ ଅଧିକ ସୁନା ଗହଣା ଜବତ କରିଥିବା କହିଛି । ଇଡି ଯଦି ଏତେ ଜିନିଷ ଜବତ କରିଛି, ତାହେଲେ ଏହି ଜବତ ତାଲିକା ପ୍ରକାଶ କରୁ ବୋଲି ତେଜସ୍ୱୀ ଚ୍ୟାଲେଞ୍ଜ କରିଛନ୍ତି ।