ଦିଲ୍ଲୀରେ ଓମିକ୍ରନ୍ ଆତଙ୍କ । ୧୫ ସନ୍ଦିଗ୍ଧ ହସ୍ପିଟାଲରେ ଭର୍ତ୍ତି

175

କନକ ବ୍ୟୁରୋ: ଦେଶରେ ବଢିଚାଲିଛି ଓମିକ୍ରନ ଭୟ । କର୍ଣ୍ଣାଟକ , ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ ଓମିକ୍ରନକୁ ନେଇ ଲୋକେ ଛାନିଆଁ । କାରଣ ଦିଲ୍ଲୀରେ ୧୫ ସନ୍ଦିଗ୍ଧଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କର ଜିନୋମ ସିକ୍ୱେନ୍ସି ରିପୋର୍ଟ ଆଉ ୪-୫ ଦିନରେ ଆସିବାର ସୂଚନା ରହିଛି । ଏହି ସମସ୍ତ ସନ୍ଦିଗ୍ଧ ବିଦେଶ ଫେରନ୍ତା ।

ଅଧିକାରୀଙ୍କ ସୂଚନା ମୁତାବକ, ଯେଉଁ ୧୫ ଜଣଙ୍କୁୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାଙ୍କ ମଧ୍ୟରୁ ୯ଜଣଙ୍କ ଠାରେ କରୋନା ପଜିଟିଭି ମିଳିଛି । ଅନ୍ୟ ୬ ଜଣଙ୍କ ଠାରେ ଗଳା ଦରଜ ଓ ଜ୍ୱର ପରି ଲକ୍ଷଣ ଦେଖାଦେଇଛି । ପୂର୍ବରୁ ଦିଲ୍ଲୀରେ ୧୨ଜଣ ସନ୍ଦିଗ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏବେ ଏମାନଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ସମସ୍ତ ସନ୍ଦିଗ୍ଧ ଇଂଲଣ୍ଡରୁ ଫେରିଛନ୍ତି ।

ସୂଚନା ମୁତାବକ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ , ଚୀନ, ମରିସସ୍, ନ୍ୟୁଜିଲ୍ୟାଣ୍ଡ. ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇଜ୍ରାଏଲକୁ କେନ୍ଦ୍ର ସରକାର ‘ହାଇ ରିସ୍କ’ ତାଲିକା ଅନ୍ତର୍ଭୁକ୍ତ କରିଛନ୍ତି । ଏଠାରୁ ଫେରୁଥିବା ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ କରିବା ଜରୁରୀ । ।ଟେଷ୍ଟର ରିପୋର୍ଟ ଆସିବା ପରେ ହିଁ ଏମାନଙ୍କୁ ବିମାନବନ୍ଦରରୁ ଯିବାକୁ ଅନୁମତି ମିଳିବ । ଏହା ବ୍ୟତୀତ ବାକି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ମଧ୍ୟ ବିମାନବନ୍ଦରରେ ଯାଞ୍ଚ କରି ଛଡାଯାଉଛି ।