ଦେଶର ଦୁଇ ବଡ ସହରରେ ଡିଆଁ ମାରୁଛି କରୋନା: ଦିଲ୍ଲୀରେ ୨୪ ଘଂଟାରେ ୧୫ ହଜାର ୯୭ ନୂଆ ମାମଲା ଚିହ୍ନଟ, ମୁମ୍ବାଇରେ ୨୦ହଜାର ୧୮୧ ପଜିଟିଭ

105

କନକ ବ୍ୟୁରୋ: ଦେଶର ଦୁଇ ପ୍ରମୁଖ ସହରରେ କରୋନା ସଂକ୍ରମଣ ଡିଆଁ ମାରୁଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ପଜିଟିଭ ମାମଲା ଦ୍ରୁତ ଗତିରେ ବଢୁଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୧୫ ହଜାର ୯୭ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ମହାମରୀ ଭୂତାଣୁରେ ଆକ୍ରାନ୍ତ ୬ ଜଣ ଆଜି ଆଖି ବୁଜିଛନ୍ତି । ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୫ ଦଶମିକ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ଦିଲ୍ଲୀରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀରେ ଏବେ ସକ୍ରିୟ ସଂକ୍ରମିତ ମାମଲା ୩୧ ହଜାର ୪୯୮ ରହିଛି । ସଂକ୍ରମଣ ବଢୁଥିବା ଦେଖି ଦିଲ୍ଲୀ ସରକାର କୋଭିଡ କେୟାର ସେଂଟର ଖୋଲି ଦେଇଛନ୍ତି । ଯେଉଁଠି ଶହେ ଅକ୍ସିଜେନ ଶଯ୍ୟାର ବ୍ୟବସ୍ଥା ରହିଛି । ସେପଟେ ଦେଶର ଅନ୍ୟତମ ପ୍ରମୁଖ ସହ ମାୟନଗରୀ ମୁମ୍ବାଇରେ ରେକର୍ଡ କରିଛି ନୂଆ ସଂକ୍ରମଣ ମାମଲା । ୨୪ ଘଂଟାରେ ୨୦ ହଜାର ୧୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ଆଜି ୬୮ ହଜାର ନମୂନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ହଜାର ୧୮୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

ମୁମ୍ବାଇରେ ସଂକ୍ରମଣ ହାର ଏବେ ୨୯ ଦଶମିକ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି । ମୁମ୍ବାଇରେ ଏବେ ୭୯ ହଜାର ୨୬୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ସେହିପରି ମହାରାଷ୍ଟ୍ରରେ ଦିନକରେ ୩୬ ହଜାର ୨୬୫ ନୂଆ ମାମଲା ଚିହ୍ନଟ ଓ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଦିନକରେ ୮ ହଜାର ୯୦୭ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧ ଲକ୍ଷ ୧୪ ହଜାର ୮୪୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।