କନକ ବ୍ୟୁରୋ : ହଠାତ ରାଜ୍ୟରେ ବଢ଼ିଯାଇଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୩ ଜଣ । ସବୁଠୁ ଚିନ୍ତାଜନକ କଥା ହେଉଛି, ଅଧା ଓମିକ୍ରନ ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କେନ୍ଦୁଝରରୁ ସର୍ବାଧିକ ୭ ଜଣ, ଖୋର୍ଦ୍ଧାରୁ ୪ ଜଣ, ସମ୍ବଲପୁର ଓ ପୁରୀରୁ ୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ଓ ଅନୁଗୁଳରୁ ୨ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମଣ ୩୭ରେ ପହଞ୍ଚିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ବିଶେଷଜ୍ଞ ଡାକ୍ତରଙ୍କ କହିବା କଥା, ରାଜ୍ୟରେ ଧୀରେ ଧୀରେ ଡେଲଟାକୁ ପଛରେ ପକାଉଛି ଓମିକ୍ରନ । ଜିନୋମ ସିକ୍ୱେନସିଂ କମ୍ ହେଉଥିବାରୁ କେତେ ସଂଖ୍ୟାରେ ଓମିକ୍ରନ ସଂକ୍ରମଣ ହେଉଛି, ତାହା ସଠିକ୍ ଆକଳନ କରାଯାଇପାରୁନାହିଁ ।
ଓଡ଼ିଶାରେ ୩୭ରେ ପହଞ୍ଚିଲା ଓମିକ୍ରନ । ଗୋଟିଏ ଦିନରେ ଆସିଲା ୨୩ ମାମଲା । ଡିସେମ୍ବର ୨୧ ତାରିଖରେ ଓଡ଼ିଶାରେ ପ୍ରଥମ ଓମିକ୍ରନ ଆକାନ୍ତ ଚିହ୍ନଟ ହୋଇଥିଲା । ଏହାରି ଭିତରେ ୧୨ ଦିନ ବିତିଯାଇଛି । ରାଜ୍ୟରେ ୩୭ରେ ପହଞ୍ଚିଯାଇଛି ଓମିକ୍ରନ ମାମଲା । କେବଳ ଜାନୁଆରୀ ୨ ତାରିଖରେ ୨୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଅଧା ବିଦେଶୀ ଫେରନ୍ତା ଥିବା ବେଳେ ଅଧା ରହିଛି ସ୍ଥାନୀୟ ସଂକ୍ରମଣ । ଯାହା ଜଣାପଡୁଛି ଧୀରେ ଧୀରେ ରାଜ୍ୟରେ କାୟା ମେଲାଇ ଚାଲିଛି ଓମିକ୍ରନ । ତେବେ ଆଶ୍ୱସ୍ତିର କଥା ହେଉଛି, ଓମିକ୍ରନ ଆକ୍ରାନ୍ତ ଗୁରୁତର ନାହାନ୍ତି । ସେମାନଙ୍କ ଠାରେ ସ୍ୱଳ୍ପ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଓଡ଼ିଶାରେ ଓମିକ୍ରନ ମାମଲା
ଜାନୁଆରୀ ୨ - ୨୩
ଡିସେମ୍ବର ୩୦ - ୫
ଡିସେମ୍ବର ୨୯ - ୧
ଡିସେମ୍ବର ୨୬ - ୪
ଡିସେମ୍ବର ୨୩ - ୨
ଡିସେମ୍ବର ୨୧ - ୨
ବଢୁଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ଡେଲଟାକୁ ହଟାଉଛି କି କରୋନାର ନୂଆ ପ୍ରଜାତି? ଡିସେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ପୁଣି ଥରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ସହ ବଢ଼ିଚାଲିଛି ଓମିକ୍ରନ ସଂକ୍ରମଣ । ଡେଲଟା ଭୂତାଣୁ ସବୁଠୁ ଅଧିକ ପ୍ରଭାବଶାଳୀ ଥିବା ବେଳେ ସଂକ୍ରମଣ କମ୍ ରହିଥିଲା । ଏବେ ସଂକ୍ରମଣ ପୁଣି ବଢୁଥିବାରୁ ଓମିକ୍ରନ ଯୋଗୁଁ ଏହା ହେଉଥିବା ଆଶଙ୍କା ପ୍ରକାଶ ପାଇଛି ।
ରାଜ୍ୟରେ ସଂକ୍ରମଣ ବଢ଼ିବା ସହ ଦ୍ରୁତ ଗତିରେ ବଢ଼ିଚାଲିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ରବିବାର ଦିନ ସଂକ୍ରମଣ ହାର ରହିଛି ୦.୬୮ ପ୍ରତିଶତ । ଯାହା ୮ ଦିନ ତଳେ ଅର୍ଥାତ ଡିସେମ୍ବର ୨୭ ତାରିଖ ଦିନ ମାତ୍ର ୦.୨୨ ପ୍ରତିଶତ ଥିଲା । ସଂକ୍ରମଣ ହାର ହଠାତ ବୃଦ୍ଧି ପାଇବା ଚିନ୍ତା ବଢ଼ାଇଛି । ରାଜ୍ୟରେ ଜିନୋମ ସିକ୍ୱେନ୍ସି ଅଧିକ ସଂଖ୍ୟାରେ ହୋଇପାରୁନାହିଁ । ତେଣୁ ଓମିକ୍ରନ ମାମଲା କେତେ କାୟା ମେଲାଇଲାଣି ତାହା ଠିକ୍ ଭାବେ ଆକଳନ ହୋଇ ପାରୁନାହିଁ । ବିଶେଷଜ୍ଞଙ୍କ କହିବା କଥା ଡେଲଟାକୁ ପଛରେ ପକାଇ ପ୍ରଭାବଶାଳୀ ହେଉଛି ଓମିକ୍ରନ ।
ତାରିଖ ପରୀକ୍ଷା ସଂକ୍ରମଣ ସଂକ୍ରମଣ ହାର
ଜାନୁଆରୀ ୨ ୬୧, ୪୫୧ ୪୨୪ ୦.୬୮%
ଜାନୁଆରୀ ୧ ୬୨, ୨୧୪ ୨୯୮ ୦.୪୭%
ଡିସେମ୍ବର ୩୧ ୬୧, ୨୭୭ ୨୨୮ ୦.୩୭%
ଡିସେମ୍ବର ୩୦ ୬୨, ୧୯୨ ୨୨୫ ୦.୩୬%
ଡିସେମ୍ବର ୨୯ ୬୩, ୨୯୦ ୨୨୧ ୦.୩୪%
ଡିସେମ୍ବର ୨୮ ୫୧, ୮୪୨ ୧୫୬ ୦.୩୦%
ଡିସେମ୍ବର ୨୭ ୫୫, ୦୮୪ ୧୨୩ ୦.୨୨%
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-02-19h43m54s600.png)