ପୁଣି ନଜରବନ୍ଦୀ ହେଲେ ଓମର ଓ ଫାରୁକ୍ ଅବଦୁଲ୍ଲା । ପୁଲୱାମା ଯିବାକୁ ମେହବୁବା ମୁଫତିଙ୍କୁ ମିଳିଲା ନାହିଁ ଅନୁମତି ।

98

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରେନ୍ସର ନେତା ଫାରୁକ୍ ଅବଦୁଲ୍ଲା ଓ ତାଙ୍କ ପୁଅ ଓମର ଅବଦୁଲ୍ଲାକୁ ତାଙ୍କ ଶ୍ରୀନଗର ସ୍ଥିତ ବାସଭବନରେ ନଜରବନ୍ଦୀ କରାଯାଇଛି । ଏନେଇ ଟ୍ୱିଟ୍ ଯୋଗେ ଜଣାଇଛନ୍ତି ଓମର ଅବଦୁଲ୍ଲା । ସେ ତାଙ୍କ ଟ୍ୱିଟରରେ ଆହୁରି ଲେଖିଛନ୍ତି କି ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଲୱାମା ଯିବା ପାଇଁ ବି ଅନୁମତି ମିଳିନାହିଁ ।

ଏହାସହ ଓମର ଅବଦୁଲ୍ଲାଙ୍କ ଘର ଆଗରେ ଏକ ମୋବାଇଲ ସିକ୍ୟୁରିଟି ଗାଡି ନିୟୋଜିତ କରାଯାଇଛି । ଆଜି ଓମର ଗୁଲମର୍ଗ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କ ପିତା ଫାରୁକ୍ ଅବଦୁଲାଙ୍କର ଆଜି କାଶ୍ମୀର ଘାଟି ନିକଟ ଗାନ୍ଦରବଲ ଯିବାର କାର୍ଯ୍ୟକ୍ରମ ରହିଥିଲା । ସେପଟେ ପୋଲିସ କହିଛି କି ପୁଲୱାମା ଆକ୍ରମଣର ବାର୍ଷିକୀ ପାଳନ କରାଯାଉଥିବାରୁ ଏଭଳି କରାଯାଇଛି ।

ନ୍ୟାସନାଲ କନଫେରେନ୍ସର ଉପାଧ୍ୟକ୍ଷ ଓମର ଅବଦୁଲା ଟୁଇଟ୍ କରି କହିଛନ୍ତି କି ‘୨୦୧୯ ପରେ ଏହା ନୂଆ କାଶ୍ମୀର, ବିନା ସୂଚନାରେ ଆମକୁ ନିଜ ଘରେ ନଜରବନ୍ଦୀ କରାଯାଇଛି , ଏହା ଅତ୍ୟନ୍ତ ଦୁଖର କଥା କି ମୋର ସାଂସଦ ପିତା ଓ ମୋତେ ନିଜ ଘରେ ବନ୍ଦି କରାଯାଇଛି । ଏହା ସହିତ ମୋ ଭଉଣୀ ତାଙ୍କ ପିଲାମାନଙ୍କୁ ବି ଘରେ ନଜରବନ୍ଦୀ କରି ରଖା ଯାଇଛି ।’

ସେପଟେ ମେହବୁବା ମୁଫତି ଏନେଇ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ତାଙ୍କୁ ଘରୁ ବାହାରିବାକୁ ବାହାରିବାକୁ ରୋକା ଯାଉଛି । ଏହା ସହ ସେ କହିଛନ୍ତି କି ଏକ ମିଥ୍ୟା ମାମଲାରେ ହତ୍ୟାରେ ଶିକାର ହୋଇଥିବା ଅତହର ମୁସ୍ତାକର ପରିବାରକୁ ଭେଟିବାକୁ ସେ ଚାହୁଁଥିବା ବେଳେ ପୋଲିସ ତାଙ୍କୁ ଘର ଭିତରେ ନଜରବନ୍ଦୀ କରି ରଖିଛି । କହିରଖୁ କି ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ ବେଳେ ଏମାନଙ୍କୁ ଗୃହବନ୍ଦି କରାଯାଇଥିଲା । ଦୀର୍ଘ ୨୩୨ ଦିନ ଧରି ଗୃହବନ୍ଦି କରାଯାଇଥିଲା ।