କୃଷକଙ୍କ ଆନ୍ଦୋଳନ ନେଇ ରାଜ୍ୟସଭାରେ ଆଲୋଚନା : କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଳା କ’ଣ ଅଛି ? ଜବାବ ରଖନ୍ତୁ ବିରୋଧୀ

ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ଆଲୋଚନା

114

କନକ ବ୍ୟୁରୋ : ରାଜ୍ୟସଭାରେ କୃଷି ଆଇନକୁ ନେଇ ଆଲୋଚନା । ବିରୋଧୀଙ୍କୁ କୃଷି ମନ୍ତ୍ରୀଙ୍କ କଟାକ୍ଷ । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଏ ନେଇ ଗୃହରେ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ସେ କହିଛନ୍ତି, ବିରୋଧୀ ଓ କୃଷକ ସଙ୍ଗଠନ ଏହି ଆଇନକୁ କଳା ଆଇନ ବୋଲି କହୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ବିରୋଧୀ କୁହନ୍ତୁ କାହିଁକି କଳା କୃଷି ଆଇନ ? ଯେକୌଣସି ସଂଶୋଧନ କରିବାକୁ ସରକାର ରାଜି ଅଛନ୍ତି ।

ସଂଶୋଧନ ଅର୍ଥ ଆଇନରେ ଭୁଲ କିମ୍ବା ତ୍ରୁଟି ନୁହେଁ । ଭୁଲ ବୁଝାମଣାରେ ଅଛନ୍ତି ଗୋଟିଏ ରାଜ୍ୟର କୃଷକ । କୃଷକ କୁହନ୍ତୁ ଆଇନରେ କଣ ସବୁ ତ୍ରୁଟି ରହିଛି ? ସରକାର କୃଷକଙ୍କ ସହ ୧୨ ଥର ଆଲୋଚନା କରିସାରିଛନ୍ତି । ଆଇନରେ ପରିବର୍ତନ ଦ୍ୱାରା ଚାଷୀଙ୍କ କୌଣସି କ୍ଷତି ହେବନାହିଁ ବୋଲି ତୋମାର ଦୃଢତାର ସହ କହିଛନ୍ତି । ଚାଷୀ ଆନ୍ଦୋଳନ ବାହାନାରେ ସେ କଂଗ୍ରେସକୁ ଟାର୍ଗେଟ ବି କରିଛନ୍ତି । ଚାଷୀଙ୍କୁ ଡରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଗାଁ ଓ କୃଷକଙ୍କ ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ସେପଟେ, କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ କୃଷକ ସଂଗଠନ । ଆସନ୍ତାକାଲି ଦିନ ୧୨ଟାରୁ ୩ଟା ଯାଏ ସାରା ଦେଶରେ ଚକାଜାମ ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଏହାକୁ ସମର୍ଥନ କରି ନବ ନିର୍ମାଣ ସଂଗଠନ ମଧ୍ୟ ରାଜ୍ୟରେ ଚକ ,ଅଖ ଜାମର ଡାକରା ଦେଇଛି । ନବ ନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି. ଦିନ ୧୨ଟାରୁ ୩ଟା ମଧ୍ୟରେ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ ।

କୃଷି ଆଇନକୁ ବିରୋଧ କରି ଚାଷୀମାନେ ୨ ମାସରୁ ଅଧିକ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି । ଏହା ମଧ୍ୟରେ ୧୧ ଥର ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ବୈଠକ ବସିଥିଲେ ବି ଆନ୍ଦୋଳନର ପନ୍ଥା ବାହାରିପାରୁନାହିଁ । ସେପଟେ ଆନ୍ଦୋଳନକୁ ଅଟକାଇବା ପାଇଁ ଅନ୍ନଦାତାଙ୍କୁ ଟାର୍ଗେଟ । ଦିଲ୍ଲୀ ସୀମାରେ ରାସ୍ତା ପୋତାଯାଇଛି କଂଟା ବାଧ ଓ ଲୁହା ତାର ।