ପୁଣି ରାଜନୀତି ମୁହାଁ ହେଲା ଓଲିଉଡ୍ : ଆଜିି ବିଜେପିରେ ସାମିଲ ହେଲେ ଓଲିଉଡ ତାରକା ମିହିର ଦାସ ଏବଂ ଅନୁ ଚୌଧୁରୀ

53

କନକ ବ୍ୟୁରୋ :  ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶା ପଲିଟିକ୍ସର ସେତିକି ପାଖେଇ ଆସୁଛି ଓଲିଉଡ୍ । ଦୁଇ ଲୋକପ୍ରିୟ ସିନେଷ୍ଟାର ମିହିର ଦାସ ଓ ଅନୁ ଚୋଧୁରୀ ମିଶିଛନ୍ତି ବିଜେପିରେ । ଅବଶ୍ୟ ୨୦୧୪ ନିର୍ବାଚନ ବେଳେ ମିହିର ଦାସ ଯୋଗ ଦେଇଥିଲେ ବିଜେଡିରେ । ତେବେ ବିଜେଡିରେ ତାଙ୍କ କ୍ୟାରିୟର ଅଧିକ ଆଗକୁ ଯାଇ ପାରିନଥିଲା ।

୨୦୧୪ରେ ଓଲିଉଡ୍ ଷ୍ଟାର ଆକାଶ ଦାସ ନାୟକ ବିଜେଡି ଟିକଟରେ କୋରେଇ ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ହେଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ଚିତ୍ ମାରିଥିଲେ ତତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମପମ୍ । ସେପଟେ କଂଗ୍ରେସ ଟିକଟରେ ଓଲିଉଡର ଦୁଇ ଭେଟେରାନ୍ ଷ୍ଟାର ଅପରାଜିତା ମହାନ୍ତି ଓ ବିଜୟ ମହାନ୍ତି କଟକ ଓ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢିଥିଲେ । ମାତ୍ର ସେମାନଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ହୋଇନଥିଲା ।

ବିଜେପିର ପିଙ୍କି ପ୍ରଧାନ, ଶ୍ରୀତମ ଦାସ ଏବେ ଦଳର ଷ୍ଟାର କ୍ୟାମ୍ପେନର୍ । ପିଂଟୁ ନନ୍ଦ ଓ କମେଡିଆନ୍ ହରି ମଧ୍ୟ ବିଜେପିରେ ମିଶିଛନ୍ତି । ସେପଟେ ବିଜେଡିରେ ଅଛନ୍ତି ଉତ୍ତମ ମହାନ୍ତି, ଅସିତ ପତି, କୁନା ତ୍ରିପାଠୀ, ଆଉ ଏବେ ନିକଟରେ ସାମିଲ ହୋଇଛନ୍ତି ଅରିନ୍ଦମ । ଦଳରେ ସାମିଲ ହୋଇଥିଲେ ବି ଅନେକ ଫିଲ୍ମ ଷ୍ଟାର ରାଜନୀତିରେ ସେତେଟା ପ୍ରଭାବଶାଳୀ ହୋଇପାରିନାହାନ୍ତି । ତେବେ ଅନୁଭବ ମହାନ୍ତି ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ଭାବେ ତାଙ୍କର ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଛନ୍ତି ।

ସେହିପରି ଦୁଇ ଦୁଇ ଥର ବ୍ରହ୍ମପୁର ଲୋକସଭା ଆସନରୁ ଜିତି ସାଂସଦ ହୋଇପାରିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । କେବଳ ବିଗତ ଦିନର ସୁପରଷ୍ଟାର ପ୍ରଶାନ୍ତ ନନ୍ଦଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା । ବିଜେପିରେ ମିଶିଥିବା ମିହିର ଦାସ ଓ ଅନୁ ଚୌଧୁରୀଙ୍କ ଭାଗ୍ୟ କଣ ହେବ ଆଗକୁ ଜଣାପଡିବ ।