କନକ ବ୍ୟୁରୋ : କେବେ ତୁଟିବ କଳାକାର କଳି? ଫିଲ୍ମକୁ ନେଇ ଯେତିିକି ଚର୍ଚ୍ଚା ନାହିଁ ତାଠୁ ବଳିଗଲାଣି ଅଭିନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ଅନୁଭବ ମହାନ୍ତି । ରାମ ଫିଲ୍ମକୁ ସମ୍ବଲପୁରରେ ମନୋଜ ମିଶ୍ର ରିଲିଜ କରାଇ ଦେଉନଥିବା ଅନୁଭବ କହିଥିଲେ । ଗୋଟିଏ ଫିଲ୍ମକୁ ରିଲିଜ କରାଇନଦେଇ ପଶ୍ଚିମ ଓ ପୂର୍ବ ଓଡିଶାକୁ ଭାଗଭାଗ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ । ଏପରିକି ଅରିନ୍ଦମ ବାବୁସାନ ଓ ତାଙ୍କ ଭିତରେ ବିବାଦ ସୃଷ୍ଟି କରିବାକୁ ମନୋଜ ପ୍ରୟାସ କରୁଥିବା କହିଥିଲେ । ପରେ ବୁଧବାର ମନୋଜ ମଧ୍ୟ ସେହି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଅନୁଭବଙ୍କ ସମସ୍ତ ଅଭିଯୋଗର ଉତର ରଖିଥିଲେ । ଏକାଠି ମିଶି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ବଲପୁରରେ ରାମ ଫିଲ୍ମର ବାଟ ସେ କାହିଁକି ଓଗାଳିବେ ବୋଲି ସଫେଇ ଦେଇଥିଲେ । ଅଭିଯୋଗ ଅନୁସାରେ ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ରାମ ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି ।