ଗିରଫ ହେଲେ ଅଭିନେତା ପୁପିନ୍ଦର୍ ! ଫିଲ୍ମ ନାଁରେ ହୋଇଥିଲା ଠକେଇ ଅଭିଯୋଗ

55

କନକ ବ୍ୟୁରୋ : ଗିରଫ ହେଲେ ଅଭିନେତା ତଥା ପ୍ରଯୋଜକ ପୁପିନ୍ଦର । ପୁପିନ୍ଦରଙ୍କୁ ତାଙ୍କ ହଂସପାଳସ୍ଥିତ ବାସଭବନରୁ ଗିରଫ କରିଛି ବାଲିଅନ୍ତା ପୁଲିସ୍ । ତେବେ ତାଙ୍କ ପତ୍ନୀ ଫେରାର୍ ଅଛନ୍ତି । ଫିଲ୍ମ ନାଁରେ ପୁପିନ୍ଦରଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଥିଲା । ପୁପିନ୍ଦରଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଥିଲେ ଜେଏମଏଫସି କୋର୍ଟ । ଏକ ଖଣି କମ୍ପାନିଠାରୁ ଋଣ ସୂତ୍ରରେ ଟଙ୍କା ନେଇ ତାକୁ ଫେରସ୍ତ ଲାଗି ପୁପିନ୍ଦର ଦେଇଥିବା ଚେକ୍‌ ବାଉନ୍ସ ହେବା ମାମଲାରେ ଏହି ଏନବିଡବ୍ଲ୍ୟୁ ଜାରି ହୋଇଥିଲା ।

ପୁଲିସ ସୂତ୍ରରୁ ପ୍ରକାଶ , ପୁପିନ୍ଦର  ଖଣି କମ୍ପାନି ପି.କେ.ଓର୍ସର ମାଲିକଙ୍କ ଠାରୁ ଚୁକ୍ତି କରି ଫିଲ୍ମ ନିର୍ମାଣ ଲାଗି ଟଙ୍କା ନେଇ ଥିଲେ । ଏହି ଟଙ୍କା ଫେରସ୍ତ ଲାଗି ସେ କମ୍ପାନିକୁ ୫ଟି ଚେକ୍‌ ଦେଇଥିଲେ । ଏଥିମଧ୍ୟରୁ ୩ଟି ଚେକ୍‌ ବାଉନ୍ସ ହୋଇଥିଲା । ଏହାଫଳରେ ପି.କେ.ଓର୍ସ ପକ୍ଷରୁ ଅଦାଲତରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ  ପୁପିନ୍ଦରଙ୍କୁ  କୋର୍ଟଙ୍କ ପାଖରୁ ବାରମ୍ବାର ସମନ ଆସିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଏହାପରେ ଭୁବନେଶ୍ୱର ଜେଏମ୍‌ଏଫସି କୋର୍ଟ ପୁପିନ୍ଦରଙ୍କୁ ବ୍ୟକ୍ତିଗତ ହାଜିରା ଲାଗି ସମନ କରିଥିଲେ। ଏହାପରେ  ଶନିବାର ଅଦାଲତ ପୁପିନ୍ଦର ସିଂ ଓ ତାଙ୍କ ପତ୍ନୀଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ।