ବୁଢ଼ୀ ମାଆଙ୍କ ସ୍କୁଲ। ବାଡ଼ି ଧରିବା ବୟସରେ ବସ୍ତାନୀ ଧରି ଯାଉଛନ୍ତି ସ୍କୁଲ, ପ୍ରେରଣା ଦେଉଛନ୍ତି ‘ପିଙ୍କ୍ ବ୍ରିଗେଡ୍’।

142

କନକ ବ୍ୟୁରୋ: ଡ୍ରେସ୍ କୋଡ୍ ଗୋଲାପୀ ରଙ୍ଗର ଶାଢ଼ି, ହାତରେ ଗୋଲାପୀ ବ୍ୟାଗ୍ ବାସ୍ତାନି । ହଁ ବଳ ବୟସ ଗଲାଣି ବୋଲି ହାତରେ କିଏ କିଏ ବାଡ଼ି ଖଣ୍ଡେ ଧରିଛନ୍ତି । ହେଲେ ଶିଖିବାର ବୟସ ତ ଏଇଠୁ ଆରମ୍ଭ । ସେଥିପାଇଁ ତ ୬୦ରୁ ୯୦ ବର୍ଷ ବୟସର ହୋଇ ବି ପାଲଟିଛନ୍ତି ଜଣେ ଜଣେ ଛାତ୍ରୀ ।

ଛୋଟ ଛୋଟ ପିଲାଙ୍କ ଭଳି ହାତରେ ଖଣ୍ଡେ ଚକ୍ ଖଡ଼ି ଆଉ ସିଲଟ୍ ଧରିଛନ୍ତି । ସ୍କୁଲ ଦିଦି କଳାପଟାରେ ଅ, ଆ, ଇ ପଢ଼ାଉଥିବା ବେଳେ ଜେଜେ ମାଆ ମାନେ ଏକା ଲୟରେ ଚକ୍ ଖଡ଼ିରେ ଲେଖିଯାଉଛନ୍ତି । ନର୍ସରୀ କବିତା ଗାଇଲା ଭଳି ଜଣ ଜଣ କରି ପାଠ ଘୋଷୁଛନ୍ତି । ହଁ ଆଶ୍ଚର୍ଯ୍ୟ ହେଲେ ବି ଏମିତି ଏକ ସ୍କୁଲର କାହାଣୀ ସମସ୍ତଙ୍କ ମନରେ କୌତୁହଳ ଭରି ଦେଇଛି ।

ମହାରାଷ୍ଟ୍ର ଥାନେର ‘ଆଜିବାଇଚି ଶାଳା’ । ଏହି ସ୍କୁଲର ସମସ୍ତ ଛାତ୍ରୀଙ୍କ ବୟସ ୬୦ରୁ ୯୦ ବର୍ଷ । କେହି କେହି ଏମାନଙ୍କୁ ପାଠୁଆ ‘ପିଙ୍କ୍ ବ୍ରିଗେଡ୍’ ବୋଲି ସମ୍ବୋଧନ କରନ୍ତି । ସ୍କୁଲରେ ୩୦ ଜଣ ଛାତ୍ରୀ ଥିବାବେଳେ ଏମାନଙ୍କ ବୟସକୁ ନୁହେଁ ବିଦ୍ୟାକୁ ଜାଣିବାର ଜୋଶକୁ ଦେଖି ଲୋକମାନେ ଚକିତ ହୋଇଯାଉଛନ୍ତି । ବୃଦ୍ଧା ବୋଲି ଆଖିର ଜଉ କମି କମି ଗଲାଣି କିନ୍ତୁ ଜୀବନର ଶେଷ ପାହାଚରେ ଜାଣିବାର ଇଚ୍ଛା ମରିନି ।

ପ୍ରତିଦିନ ସକାଳ ହେଲା ମାନେ ଏମାନେ ଘର କାମ ସାରି ସ୍କୁଲ ବାହାରି ଯାଆନ୍ତି । ଅଣ୍ଟାରେ ବଳ ନଥାଉ ପଛେ ଏମାନଙ୍କର ଆତ୍ମବଳ ହିଁ ଯଥେଷ୍ଟ । ବିଦ୍ୟାର ମନ୍ଦିରରେ ପାଦ ଦେଉ ଦେଉ ପାଠ ପଢ଼ିବାର ପ୍ରବଳ ଇଚ୍ଛାଶକ୍ତି ଅନେକଙ୍କୁ ପ୍ରେରଣା ଦେଉଛି । ହେଲେ ସ୍କୁଲ କର୍ତ୍ତୁପକ୍ଷଙ୍କ କହିବା ମୁତାବକ, ସ୍କୁଲର ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ହୋଇ ରହିଛି । ଗୋଟିଏ ଟି ଆଜବେଷ୍ଟ ତରେ ଏମାନେ ପାଠ ପଢୁଛନ୍ତି । ଜଣେ କେହି ଲୋକ ପ୍ରତିନିଧି ଏଯାଏଁ ବି ଏମାନଙ୍କ ପାଠ ପଢ଼ିବାକୁ ସୈଖିକ ବାତାବରଣ କରି ନାହାନ୍ତି ।

ଶଯ୍ୟାଶାୟୀ ବୟସରେ ଏମାନଙ୍କୁ ସ୍କୁଲ ଯିବାର ଦେଖି ଅନ୍ୟ ବୃଦ୍ଧାମାନେ ବି ଉତ୍ସାହିତ ହେଉଥିବେ । ଏହି ପିଙ୍କ୍ ବ୍ରିଗେଡ୍ଙ୍କଠୁ ପାଠ ପଢ଼ିବାର ପ୍ରେରଣା ପାଉଥିବେ । ସତରେ ଶିଖିବାର ବୟସ ନଥାଏ ବୋଲି କଥାରେ ସବୁବେଳେ ଆପଣ ଶୁଣିଥିବେ ହେଲେ ୬୦ରୁ ୯୦ ବର୍ଷୀୟ ଛାତ୍ରୀଙ୍କୁ ଦେଖିଲେ ତାହା ବାସ୍ତବରେ ଜାଣିପାରିବେ ।