ଅଜବ ଆଇନ୍ । ୩୫ ବର୍ଷରେ ୪୦୦ ଥର କୋର୍ଟ ଦୌଡିଲେ । ୮୫ ବର୍ଷରେ ବୃଦ୍ଧଙ୍କୁ ମିଳିଲା ନ୍ୟାୟ ।

132

କନକ ବ୍ୟୁରୋ: ୩୫ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଥର କୋର୍ଟ ଦୌଡି ଦୌଡି ନୟାନ୍ତ ହେବା ପରେ ଜୀବନର ସାୟାହ୍ନରେ ମିଳିଲା ନ୍ୟାୟ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶରେ ।
ଏ ହେଉଛି ଉତ୍ତରପ୍ରଦେଶ ମୁଜାଫରନଗରର ୮୫ ବର୍ଷିୟ ଧର୍ମପାଲଙ୍କ ଦୁଃଖଦ କାହାଣୀ । ନ୍ୟାୟ ପାଇବା ଆଶାରେ ଜୀବନର ସବୁ ସମୟ କଟିଗଲା । ଦୀର୍ଘ ୩୫ ବର୍ଷ କାଳର ଲମ୍ବା ସଂଘର୍ଷ । ଏହାରି ଭିତରେ ୪୦୦ରୁ ଅଧିକ ଥର କୋର୍ଟକୁ ଦୌଡି କୌଡି ନୟାନ୍ତ ହେଲେ । ଶେଷରେ ୮୫ ବର୍ଷରେ ତାଙ୍କୁ ମିଳିଛି ନ୍ୟାୟ । ହେଲେ କି ପ୍ରକାର ମସସ୍ୟାରେ ଫଶିଥିଲେ ତାଙ୍କୁ ଏପରି ସଂଘର୍ଷ କରିବାକୁ ପଡିଲା?

କଥା ହେଉଛି ୧୯୮୬ ମସିହାରେ ଧର୍ମପାଲ ତାଙ୍କ ଭାଇ ଓ ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ଘରେ ବେଆଇନ ଭାବେ କୀଟନାଶକ ଔଷଧ ପ୍ରସ୍ତୁତ କରୁଥିଲେ । ଏହି ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇ ମାମଲା ଆରମ୍ଭ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତ ନିଜକୁ ମୁକ୍ତ କରିବାକୁ ଯେତେ ପ୍ରମାଣ ପତ୍ର ଉପସ୍ଥାପନ କରିଥିଲେ ବି କେଉଁଥିରେ ସନ୍ତୁଷ୍ଟ ହୋଇନଥିଲେ ମାନ୍ୟବର କୋର୍ଟ । ଫଳରେ ୧୮ ଦିନ ଜେଲରେ ରହି ଜାମିନ ପାଇଥିଲେ ବି କୋର୍ଟ ତାଙ୍କ ପିଛା ଛାଡିନଥିଲା । ବାରମ୍ବାର କୋର୍ଟକୁ ଦୌଡିଥିଲେ ଧର୍ମପାଲ । ଏମିତି କୋର୍ଟରେ ତାଙ୍କୁ ୪୦୦ରୁ ଅଧିକ ଥର ହାଜର ହେବାକୁ ପଡିଲା । ଶେଷରେ ଚଳିତ ବର୍ଷ ଚଳିତ ମାସରେ ମୁଜାଫରନଗର ଅତିରିକ୍ତ ମୁଖ୍ୟ ନ୍ୟାୟାଧିଶ ପ୍ରମାଣ ଅଭାବରୁ ଧର୍ମପାଲଙ୍କୁ ମୁକ୍ତ କରିଛନ୍ତି ।

ଏହି ୩୫ ବର୍ଷ ଭିତରେ ଅନେକ କିଛି ହରାଇ ସର୍ବସ୍ୱାନ୍ତ ହୋଇଛନ୍ତି ଧର୍ମପାଲ ଓ ତାଙ୍କ ପରିବାର । ନିଜେ ତ ଯାହା ଆର୍ଥିକ କଷ୍ଟ ପାଇଛନ୍ତି । ଏହାରି ଭିତରେ ତାଙ୍କ ଭାଇ ମଧ୍ୟ ଆର ପାରିକୁ ଚାଲିଯାଇଛନ୍ତି । ଅନ୍ୟଜଣେ ସହଯୋଗୀଙ୍କ ପତ୍ତା ମିଳୁନଥିବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇ ଧର୍ମପାଲ କହିଛନ୍ତି ଯେ, କୋର୍ଟ ପାଇଁ ତାଙ୍କ ଜୀବନର ବହୁମୂଲ୍ୟ ସମୟ ନଷ୍ଟ ହୋଇଗଲା । ଏହି ଦୀର୍ଘ ଆଇନ ସଂଘର୍ଷରେ ସେ ତାଙ୍କର ଅର୍ଥ, ପ୍ରତିଷ୍ଠା, ମାନସିକ ଶାନ୍ତି ଓ ସ୍ୱଜନଙ୍କୁ ହରାଇଛନ୍ତି । ବିଳମ୍ବରେ ହେଉ ପଛେ ତାଙ୍କୁ ନ୍ୟାୟ ମିଳିଛି । ଅନ୍ତତଃ ଶାନ୍ତିରେ ମରି ତ ପାରିବେ ବୋଲି କହିଛନ୍ତି ଧର୍ମପାଲ ।