ଜୀବନ ବିତାଉଛନ୍ତି ବୃଦ୍ଧା ଦମ୍ପତ୍ତି । ବୟସର ଅପରାହ୍ନରେ କିଏ ହେବ ସାହା?

135

କନକ ବ୍ୟୁରୋ: ବୃଦ୍ଧା ଦମ୍ପତ୍ତିଙ୍କୁ କିଏ ହେବ ସାହାରା? ପୁଅ ଝିଅ ଚାଲିଯିବା ପରେ ଏବେ ବେସାହାରା ଜୀବନ ବିତାଉଛନ୍ତି ବୃଦ୍ଧା ଦମ୍ପତ୍ତି । ଅନୁଗୁଳର ଏହି ବୃଦ୍ଧ ଦମ୍ପତି ୩୦ ବର୍ଷ ହେଲା ପଲିଥିନ୍ ତଳେ ଜୀବନ କାଟୁଥିବା ବେଳେ ବାର୍ଦ୍ଧକ୍ୟଜନିତ ଯନ୍ତ୍ରଣା ତାଙ୍କୁ କଲବଲ କରୁଛି । ତା ସାଙ୍ଗକୁ ପକ୍ଷାଘାତ ରୋଗର ଯନ୍ତ୍ରଣା ଦୁଃଖକୁ ଦ୍ୱିଗୁଣିତ କରିଛି ।

ବୟସର ଅପରାହ୍ନରେ ବେସାହାରା ବୃଦ୍ଧା ଦମ୍ପତି । ନାଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଅଛି ନାଁ ଭଲମନ୍ଦ ବୁଝିବାକୁ ପାଖରେ କିଏ ଅଛନ୍ତି । ଭାଗ୍ୟକୁ ଆଦରି ୩୦ ବର୍ଷ ହେଲା ଭଙ୍ଗା ଦଦରା ପଲିଥିନ୍ ତଳେ ଜୀବନ କାଟୁଛନ୍ତି ଦୁଇ ପ୍ରାଣୀ । ଆଗପଛ ହୋଇ ଅକାଳରେ ଚାଲିଗଲେ ଭେଣ୍ଡିଆ ପୁଅ ଆଉ ଝିଅ । ଏଭଳି ଅବସ୍ଥାରେ କେହି ମୁଠାଏ ଖାଇବାକୁ ଦେଲେ ଚଳେ ପରିବାର । ନହେଲେ ପେଟ ଉପାସ । ଦିନେ ଅନୁଗୁଳ ପୌରପାଳକିକାରେ ଅସ୍ଥାୟୀ କର୍ମଚାରୀ ଭାବରେ କାମ କରୁଥିଲେ ଗଗନ ଗୋଛାୟତ, ଏବେ ପକ୍ଷାଘାତରେ ଆକ୍ରାନ୍ତ । ପାଖରେ ରୋଗୀଣା ସ୍ତ୍ରୀ ଜେମା ଗୋଛାୟତ ତାଙ୍କର ଦେଖାରଖା କରୁଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ତେବେ ଏହି ବୃଦ୍ଧ ଦମ୍ପତି ରହୁଥିବା ପଲିଥିନ୍ କୁଡ଼ିଆ ଉପରେ ପଡ଼ିଛି ସରକାରୀ ବାବୁଙ୍କ ନଜର । ସରକାରୀ ଜମିରେ ରହୁଥିବାରୁ ତାଙ୍କୁ ଖାଲି କରିବାକୁ ଦିଆଯାଇଛି ନୋଟିସ୍ । ତେବେ ଅସହାୟ ଅବସ୍ଥାରେ ରହୁଥିବା ଏହି ବୃଦ୍ଧ ଦମ୍ପତି ଏବେ ଘର ଖାଲି କରି ଯିବେ କୁଆଡ଼େ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।