ଭାଙ୍ଗିଯାଇଛି ମାଟି ଘର, ସରକାରୀ ଯୋଜନାରେ ମିଳିନାହିଁ ପକ୍କା ଘର । ପରିଣତ ବୟସରେ କ୍ୟାବିନ ଭିତରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି । ପ୍ରଶ୍ନ, କାହା ପାଇଁ ସରକାରୀ ଯୋଜନା ।

170

କନକ ବ୍ୟୁରୋ : ଆବାସ ଯୋଜନାରେ ହେଉଛି ବ୍ୟାପକ ଦୁର୍ନୀତି । ନହେଲେ କଣ ଜଣେ ଗରିବ ଖଟିଖିଆ କ୍ୟାବିନ ଭିତରେ ମୁଣ୍ଡ ଗୁଞ୍ଜିଥାନ୍ତେ । ଯଦି ସବୁ ସରକାରୀ ଯୋଜନା ସବୁ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁଛି, ତେବେ କାହିଁକି ଜଣେ ଗରିବ ଖଟିଖିଆ ଆଜି ବି ଚାଳ ଛପର ଘରେ ରହିଥାନ୍ତେ । ଗରିବ ଗୁରୁବାଙ୍କ ଚାଳ ଛପର କୁଡିଆକୁ ଦେଖିଲେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠେ, ସରକାର କରୁଥିବା ଯୋଜନା କାହା ପାଇଁ ? ଗରିବ ନା ଧନୀଙ୍କ ପାଇଁ ? କାହିଁକି ଅଭାବୀଙ୍କ ପାଖରେ ପହଞ୍ଚିପାରୁନି ଯୋଜନା? କେଉଁଠି ରହୁଛି ଅସୁବିଧା । ଏବେ ଯେଉଁ ଖବର ଦେଖିବେ, ଏହାପରେ ଆପଣମାନେ ମଧ୍ୟ ସରକାରୀ ପକ୍କା ଘର ଯୋଜନାକୁ ନେଇ ପ୍ରଶ୍ନ କରିବେ ।

କ୍ୟାବିନ ଭିତରେ ଜୀବନ । ମାତ୍ର କେଇ ହାତର କ୍ୟାବିନ ଭିତରେ ରୋଷେଇବାସ ଖିଆ ପିଆ ସବୁ କିଛି । ପରିଣତ ବୟସରେ ଜଣେ ଅନ୍ୟଜଣଙ୍କୁ ଭରସା କରି ଏହି କ୍ୟାବିନ ଭିତରେ ଜୀବନ ଯାପନ କରୁଛନ୍ତି ଏହି ବୃଦ୍ଧ ଦମ୍ପତି । ଏମାନେ ହେଲେ କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ପଞ୍ଚାୟତର ବୈକୁଣ୍ଠ ନାଥ ଷଡଙ୍ଗୀ ଓ ତାଙ୍କ ସ୍ତ୍ରୀ । କାନପୁର ମେଡିକାଲ ଛକ ପାଖରେ କ୍ୟାବିନ ଭିତରେ ଅତି କଷ୍ଟରେ ଏହି ବୃଦ୍ଧା ଦମ୍ପତି କାଳ କାଟୁଛନ୍ତି ।

ପଞ୍ଚାୟତ ଅଫିସ ପାଖରେ କ୍ୟାବିନରେ ରହୁଥିବା ଏହି ଦମ୍ପତି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାକୁ ଉପହାସ କରୁଛନ୍ତି । ପୂର୍ବରୁ ଅଭିଯୋଗ ହୋଇଛି ନରସିଂହପୁର ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ଥିଲା ବାଲାଙ୍କୁ ଘର ମିଳିଥିବା ବେଳେ ବୈକୁଣ୍ଠ ନାଥଙ୍କ ଭଳି ଅଭାବି ଓ ଗରିବ ଖଟିଖିଆ ଏବେ ବି ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ସେମାନଙ୍କ ପାଖରେ ସରକାରଙ୍କ ପକ୍କା ଘର ଯୋଜନା ପହଞ୍ଚିପାରିନାହିଁ । ବୈକୁଣ୍ଠଙ୍କର ଏକମାତ୍ର ପୁଅ ରାଜ୍ୟ ବାହାରେ କମ୍ପାନୀରେ କାମ କରି ପେଟ ପୋଷୁଥିବା ବେଳେ ଘରଟିଏ ନଥିବାରୁ ବାପା-ମାଆଙ୍କ ଜୀବନ ବିତୁଛି କ୍ୟାବିନ ଭିତରେ ।