କରୋନା ଛଡ଼ାଇ ନେଇଛି ବୃଦ୍ଧ ଦମ୍ପତିଙ୍କ ବଞ୍ଚିବାର ସାହାରା । କଟକଣା ଯୋଗୁଁ ବନ୍ଦ ପଡ଼ିଛି ରୋଜଗାରର ଏକମାତ୍ର ମାଧ୍ୟମ ପାନ ଦୋକାନ ।

134

କନକ ବ୍ୟୁରୋ: ମହାମାରୀ କରୋନା କେଉଁ ପରିବାରର ସର୍ବସ୍ୱ ଛଡାଇ ନେଇଛି ତ ଆଉ କାହାକୁ ଅନାଥ କରି ଦେଇଛି । ଧନୀ ଗରିବ ସମସ୍ତେ କରୋନା ଫାଶରେ ଛନ୍ଦି ହୋଇ ପଡିଥିବା ବେଳେ ଗରିବ ଶ୍ରେଣୀର ଲୋକ ନିଜ ପେଟକୁ ଦି’ଓଳି ଦି’ ମୁଠା ଦାନା ପାଇଁ ଆଉଟୁ ପାଉଟୁ ହେଉଛନ୍ତି । ବୟସର ଅପରାହ୍ନରେ ପାଦ ଥାପିଥିବା ବୃଦ୍ଧ ଦମ୍ପତିଙ୍କ ଶେଷ ସାହାରା ଛଡାଇ ନେଇଛି କରୋନା । ପେଟ ଚାଖଣ୍ଡେକ ପାଇଁ ଏବେ ବାର ଦୁଆର ହେଉଛନ୍ତି କେନ୍ଦ୍ରାପଡା ରାଜନଗର ବ୍ଲକ ସାନଓର ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ବାସନ୍ତୀ ।

କରୋନା କାଳରେ ଅନେକ ଅଭାବୀଙ୍କ କାହାଣୀ ଆପଣମାନେ ଜାଣିବାକୁ ପାଇଛନ୍ତି । ମହାମାରୀ ମାଡରେ କାହାର ଜୀବନ ଯାଇଛି, ତ ଆଉ କିଏ ଜୀବିକା ହରାଇ ଜୀବନ ଜିଇଁବାକୁ ସଂଘର୍ଷ କରୁଛି । କେନ୍ଦ୍ରାପଡା ରାଜନଗର ବ୍ଲକ ସାନଓର ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଛୋଟିଆ ପାନ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ପେଟପୁରେ । ହେଲେ କରୋନା ଲକଡାଉନ୍ ଯୋଗୁଁ ପାନ ଦୋକାନ ବନ୍ଦ ହୋଇ ଯିବା ପରେ ପରିଣତ ବୟସରେ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ କରିବା ଅସମ୍ଭବ ହୋଇ ଯାଇଛି ।

ପୂର୍ଣ୍ଣଚନ୍ଦ୍ରଙ୍କର ୩ ଝିଅ ବାହା ହୋଇଯିବା ପରେ ପୁଅ ବୋହୂ ତାଙ୍କୁ ଅଲଗା କରିଦେଛନ୍ତି । ୫ ବର୍ଷ ହେଲା ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ବାସନ୍ତୀ ରାଜନଗରର ହଂସୁଆ ନଦୀ କୂଳରେ ଏକ କ୍ୟାବିନରେ ରହୁଛନ୍ତି, ଆଉ ରାଜନଗର ବଜାର ନିକଟ ରାସ୍ତା କଡରେ ପାନ ଦୋକାନ କରି ଚଳୁଥିଲେ । ହେଲେ କରୋନା ସେମାନଙ୍କ ଶେଷ ଆଶା ଓ ସାହରାକୁ ଛଡାଇ ନେଇଛି ।