ମାଟି ତଳେ ପେଟ୍ରୋଲ ! ଅନ୍ୱେଷଣ ପାଇଁ ଡ୍ରିଲିଂ ହେବ, ଜମି ଚିହ୍ନଟ; ୩୭ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ

273

କନକ ବ୍ୟୁରୋ : ପୁରୀରେ ମିଳିଲା ପେଟ୍ରୋଲ । ଜିଲ୍ଲାର ଗୋପ ତହସିଲର ୨ଟି ସ୍ଥାନରୁ ମିଳିଛି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ । ତେବେ ବଡକଥା ହେଉଛି ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଓ ୧୦ ଜଣିଆ ଟିମ୍ ପହଞ୍ଚିି ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ୧୦ କୋଟିରୁ ଅଧିକ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏନେଇ ଅଏଲ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଥିଲା । ଗୋପ ବ୍ଲକ ଅଧିନ ଗୋପ ପଞ୍ଚାୟତର କୁସୁପୁର ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ୮ ଏକର ଜାଗା ଚିହ୍ନଟ କରାଯାଇଛି । ସେହିପରି ମହଲପଡ଼ା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଖୁବଶୀଘ୍ର ଚିହ୍ନଟ ହୋଇଥିବା ସ୍ଥାନରେ ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଅଏଲ ଇଣ୍ଡିଆ କର୍ତୃପକ୍ଷ ।

– ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ୨୦୨୦ ନଭେମ୍ବର ୨୦ରେ ସର୍ଭେ ଆରମ୍ଭ ହୋଇଥିଲା
– ଓଡ଼ିଶା ଉପକୂଳବର୍ତୀ ୫ଟି ବ୍ଲକର ୩ ହଜାର ବର୍ଗକିମି ଅଞ୍ଚଳରେ ହୋଇଥିଲା ସେସମିକ ସର୍ବେକ୍ଷଣ କାର୍ଯ୍ୟ
– ରାଜ୍ୟର ୮ଟି ଜିଲ୍ଲା ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ହୋଇଥିଲା ସର୍ଭେ
– ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧ ହଜାର ୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ କରାଯାଇଥିଲା
– ଓଡ଼ିଶାର ୫ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା

ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିବା ପରେ ଗୋପ ଅଞ୍ଚଳରେ ନାହିଁ ନଥିବା ଖୁସି । ତେଲ ପାଇଁ ଖନନ ହେଲେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଗୋପ ଅଞ୍ଚଳର ଯୁବକ, ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ସେହିପରି ଗୋପ ଅଞ୍ଚଳର ବ୍ୟାପକ ବିକାଶ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି । ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ । ଓଡିଶା ମଧ୍ୟ ଇନ୍ଧନ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିପାରିବ ବୋଲି ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।