ଚିଲିକାରେ ଚାଲିଲା ହାଉସ ବୋଟ ‘ଗରୁଡ’ : ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇ ବୋଟରେ ରହିଛି ସବୁ ପ୍ରକାରର ସୁବିଧା

158

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ଚିଲିକାରେ ଆଜିଠାରୁ ଚାଲିଲା ହାଉସ ବୋଟ । ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇ ସବୁ ପ୍ରକାରର ସୁବିଧା ବୋଟରେ ରହିଛି । ଏହି ପ୍ରକଳ୍ପର ନାଁ ଗରୁଡ ରଖାଯାଇଛି । ହାଉସ ବୋଟରେ ଖୁବ୍ ସୁନ୍ଦର କୋଠରୀ ରହିଛି । ଏଠାରେ ରାତି ରହଣୀ ସହ ଖାଇବାର ବ୍ୟବସ୍ଥା ରହିଛି । ଡବଲ ଇଞ୍ଜିନ୍ ବିଶିଷ୍ଟ ବୋଟର ଲମ୍ବା ୧୦୫ ଫୁଟ ଓ ଓସାର ୨୨ ଫୁଟ । ଚିଲିକାର ଜଳବାୟୁ ଓ ପରିବେଶ ଅନୁସାରେ ଏହାର ଡିଜାଇନ କରାଯାଇଛି ।

ଏକାଥରେ ୬ଟି ଦମ୍ପତିଙ୍କ ପାଇଁ ୨୪ ଘଂଟା ରହଣି ବ୍ୟବସ୍ଥା ରହିଛି । ଗରୁଡକୁ ସ୍ୱାଗତ ବେଳେ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସୁରକ୍ଷା ସଂପର୍କୀତ ସୂଚନା ଦିଆଯିବ । ଗରୁଡରେ ରହଣି ବେଳେ ଖାଇବା ପାଇଁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସହ ଚା’ ଯୋଗାଇ ଦିଆଯିବ । ଓଡିଆ ଖାଦ୍ୟକୁ ପ୍ରାଥମିକତା ଦିଆଯିବ । ଖାଦ୍ୟ ମେନୁରେ ସାମୁଦ୍ରିକ ଖାଦ୍ୟ, କଙ୍କଡା, ଚିଲିକା ଚିଙ୍ଗୁଡି ଓ ଚିଲିକାର ଖଇଙ୍ଗା ମାଛ ରହିବ । ଦିନ ସାଢେ ଗୋଟାଏରେ ମଧ୍ୟାହ୍ନ ଭୋଜନରେ ଓଡିଆ ଖାଦ୍ୟ ସହ ସାମୁଦ୍ରିକ ଖାଦ୍ୟ ଖାଇପାରିବେ ପର୍ଯ୍ୟଟକ । ସେହିଭଳି ରାତି ୯ଟା ସୁଦ୍ଧା ରାତ୍ରି ଭୋଜନରେ ବିଭିନ୍ନ ପ୍ରକାର ଖାଦ୍ୟ ପରସା ଯିବ ।