ଆସନ୍ତାକାଲି ବିଧାନସଭାରେ ରାଜ୍ୟ ସରକାରଙ୍କ ଆର୍ଥିକ ବଜେଟ ! ଚାଷୀ ଓ ଶିକ୍ଷକଙ୍କୁ ଖୁସି କରିପାରନ୍ତି ସରକାର, ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଆସିଲା ରାଜ୍ୟ ବିକାଶର ଗୋଲାପି ଚିତ୍ର

24

କନକ ବ୍ୟୁରୋ : ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ୨୦୧୮-୧୯ ବର୍ଷର ଆର୍ଥିକ ବଜେଟ୍ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବଜେଟର ରୂପରେଖ କିପରି ହେବ, ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର କେଉଁ କେଉଁ ନୂଆ ଯୋଜନା ଘୋଷଣା କରିବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ବଜେଟ୍ ଉପସ୍ଥାପନ ପୂର୍ବରୁ ଉପସ୍ଥାପିତ ହୋଇଛି ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ।

ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ୍ ଏକ ଲୋକପ୍ରିୟ ତଥା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟ୍ ହେବ ବୋଲି ଅନୁମାନ କରାଯାଉଛି । କାରଣ ଏହି ବଜେଟ୍ ଆସନ୍ତା ବର୍ଷର ନିର୍ବାଚନକୁ ପ୍ରଭାବିତ କରିବାର କ୍ଷମତା ରଖୁଛି । ୨୦୧୯ ନିର୍ବାଚନ ପୂର୍ବରୁ ଏହି ବଜେଟ୍ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଅସ୍ତ୍ର । କାରଣ ଏହାରି ମାଧ୍ୟମରେ ରାଜ୍ୟ ସରକାର ନିଜ ଭୋଟ ବ୍ୟାଙ୍କକୁ ଅକ୍ଷୁର୍ଣ୍ଣ ରଖିବା ସହ ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି କରିପାରିବେ । ବର୍ଷକର ହିସାବ କିତାବର ଏହି ଚିଠାକୁ ଧରି ଭୋଟରଙ୍କ ପାଖକୁ ଯିବେ ସରକାର ।

ଚାଷୀ କୁଳର ଏକ ବଡ଼ ଦାବି ହେଉଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ପେନସନ୍ । ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ମୋଦି ସରକାରଙ୍କୁ ଚିଠି ଲେଖିଛନ୍ତି ନବୀନ । ଆଉ ଏହା ପରେ ରହିଛି ପେନସନ୍ ଉପରେ ନଜର । ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେଉଛି କୃଷି ଓ କୃଷକଙ୍କ ସମସ୍ୟାକୁ ସମାଧାନ କରିବା । ଚାଷୀ ଆନ୍ଦୋଳନ ଧିରେ ଧିରେ ବ୍ୟାପୁଥିବା ବେଳେ ଭୋଟ ପୂର୍ବରୁ ଚାଷୀ ସମୁଦାୟକୁ ଖୁସି କରିବାକୁ ଚେଷ୍ଠା କରିପାରନ୍ତି ସରକାର ।

ସେପଟେ ଶିକ୍ଷକ ଆନ୍ଦୋଳନ ମଧ୍ୟ ସରକାରଙ୍କ ଆଉ ଏକ ଚିନ୍ତାର କାରଣ । ସଂଖ୍ୟା ଦୃଷ୍ଟିରୁ ସେମାନଙ୍କୁ ଅସନ୍ତୁଷ୍ଟ କରି ରଖିବାକୁ ଚାହିଁ ନପାରନ୍ତି ସରକାର । ରାଜ୍ୟ ସରକାରଙ୍କ ପାଇଁ ଏହି ବଜେଟ୍ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ବଡ଼ ଚ୍ୟାଲେଂଜ ମଧ୍ୟ । କାହାକୁ ଖୁସି କରିବେ, କେଉଁ କ୍ଷେତ୍ର ପାଇଁ କ’ଣ ଘୋଷଣା କରିବେ, ସେଥିପାଇଁ ଅଙ୍କ କଷିଛନ୍ତି ସରକାର । ଏହା ସହ ରହିଛି ରାଜ୍ୟର ବିକାଶ ପାଇଁ ସାମଗ୍ରିକ ଯୋଜନା ।

ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପୂର୍ବରୁ ଆଜି ଉପସ୍ଥାପିତ ହୋଇଛି ୨୦୧୭-୧୮ର ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ରାଜ୍ୟ ବିକାଶର ଗୋଲାପୀ ଚିତ୍ର ଆଙ୍କିଛନ୍ତି ସରକାର । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅଭିବୃଦ୍ଧି ହାର ୭.୧୪ ପ୍ରତିଶତ ପାଇଁ ଆଶା ରଖିଛନ୍ତି ସରକାର । ଜାତୀୟ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ତୁଳନାରେ ଅଧିକ ରହିଛି ରାଜ୍ୟର ଅଭିବୃଦ୍ଧି ହାର ଲକ୍ଷ୍ୟ । ତେବେ ୨୦୧୬-୧୭ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୧୦.୩୯ ପ୍ରତିଶତ । ଫସଲ ଉତ୍ପାଦନରେ ୨୭ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଦୁଇ ଅଙ୍କ ଛୁଇଁଥିଲା ଅଭିବୃଦ୍ଧି । ସେହିପରି ୨୦୧୭-୧୮ ପାଇଁ ହାରାହାରି ବାର୍ଷିକ ଆୟ ୬୭ ହଜାର ୫୨୨ ଟଙ୍କା ଛୁଇଁବା ଲଷ୍ୟ ରଖାଯାଇଛି । ଏହାଛଡ଼ା ମୁଦ୍ରାସ୍ଫୀତି ୧.୩ ରହିଥିବା ଦର୍ଶାଇଛନ୍ତି ସରକାର ।