ରାଜ୍ୟର ସବୁଠୁ ବଡ ସାଇବର ଠକେଇ । ବୋନସ ଲୋଭ ଦେଖାଇ ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ଲୁଟିଲେ କୋଟିଏ ଟଙ୍କା ।

228

କନକ ବ୍ୟୁରୋ : ରାଜ୍ୟର ସବୁଠୁ ବଡ ସାଇବର ଠକେଇ ଅଭିଯୋଗ । ପାଖାପାଖି କୋଟିଏ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଆଉ ଠକେଇର ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ । ଇନସ୍ୟୁରାନ୍ସ ଏଜେଣ୍ଟ ବୋନସ ଦେବାକୁ କହି ୯୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ଠକେଇ । ଆଉ ସବୁଠୁ ବଡ କଥା ହେଲା ଦୀର୍ଘ ବର୍ଷ ଧରି ସାଇବର ଠକ ଠକି ଚାଲିଥିଲେ ମଧ୍ୟ ଏହାର ଟେର ପାଇନଥିଲେ ଉକ୍ତ ସେନା ଅଧିକାରୀ ।

ମିଳିଥିବା ସୂଚନା ମୁତାବକ, ୨୦୧୧ରେ ଅଭିଯୋଗକାରୀ ସେନା ଅଧିକାରୀ ଏକ ଇନସ୍ୟୁରାନ୍ସ ପଲିସି କରିଥିଲେ । ୬ ଲକ୍ଷ ଟଙ୍କାର ବୀମା କରିଥିଲେ ପୂର୍ବତନ ସେନା ଅଧିକାରୀ । ୨୦୧୫ରେ ତାଙ୍କ ପାଖକୁ ଭିନ୍ନ ଭିନ୍ନ ନମ୍ବରରୁ କଲ ଆସିଥିଲା । କିଏ ଅର୍ଥ ମନ୍ତ୍ରଣାଳୟର ଅଧିକାରୀର ପରିଚୟ ଦେଇ ଫୋନ୍ କରୁଥିଲେ ତ ପୁଣି କିଏ ଆରବିଆଇ ଅଧିକାରୀ ତ ଆଉ କିଏ ଇନକମ୍ ଟ୍ୟାକ୍ସ ଅଧିକାରୀର ପରିଚୟ ଦେଇ ଫୋନ୍ କରିବା ସହ କିଭଳି ଇନସ୍ୟୁରାନ୍ସ ଉପରେ ଅଧିକ ବୋନସ ମିଳିବ ତାହାର ସୁନେଲୀ ସ୍ୱପ୍ନ ଦେଖାଇଥିଲେ । ଆଉ ଏଭଳି କରି ପୂର୍ବତନ ସେନା ଅଧିକାରୀଙ୍କ ପାଇଁ ଠକେଇର ଜାଲ ବିଛାଇଥିଲେ ସାଇବର ଠକ । କେବଳ ଏତିକି ନୁହେଁ ଲୋଭନୀୟ ଅଫର ଦେଖାଇ ଅଧିକ ଟଙ୍କା ପାଇବାକୁ ଦେଖାଇଥିଲେ ସ୍ୱପ୍ନ ।

ଏତିକି ନୁହେଁ ପୂର୍ବତନ ସେନା ଅଧିକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ମିଛ ଇ-ମେଲ ଓ କାଗଜପତ୍ର ମଧ୍ୟ ପଠାଯାଉଥିଲା । ଆଉ ସାଇବର ଠକଙ୍କ ଏହି ଜାଲରେ ମଧ୍ୟ ଫଶି ଯାଇଥିଲେ ପୂର୍ବତନ ସେନା ଅଧିକାରୀ । ଆଉ ଏହାପରେ ଠକେଇ ପାଇଁ ସାଇବର ଠକଙ୍କୁ ମିଳିଥିଲା ସୁଯୋଗ । ଇନସ୍ୟୁରାନ୍ସ ପଲିସି ବୋନସ ବଢାଇବାର ଲୋଭ ଦେଖାଇ ବିଭିନ୍ନ ଲିଙ୍କ୍ ଜରିଆରେ ଟଙ୍କା ପଠାଇବାକୁ କହିଥିଲେ ସାଇବର ଠକ । ଆଉ ଲୋଭରେ ପଡି ଅଭିଯୋଗକାରୀ ଜଣକ ମଧ୍ୟ ଲିଙ୍କ୍ ଜରିଆରେ ସମସ୍ତ ଟଙ୍କା ପୈଠ କରିଥିଲେ । ୨୦୧୫ରୁ ୨୦୨୨ ହେବା ପରେ କୌଣସି ଟଙ୍କା ଫେରସ୍ତ ନ ଆସିବାରୁ ତନାଘନା କରିଥିଲେ ଅଭିଯୋଗକାରୀ । ଆଉ ଜାଣିବାକୁ ପାଇଥିଲେ ଯେ, ଗତ ୭ ବର୍ଷ ହେବ ସେ ସାଇବର ଠକେଇର ଶିକାର ହୋଇଛନ୍ତି । ଆଉ ଏନେଇ ଏବେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ସେନା ଅଧିକାରୀ ।