ଦୁବାଇରେ ଆଗ୍ରହ ଦେଖାଇଲେ ଶିଳ୍ପପତି : ଓଡିଶାରେ ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି; ସୃଷ୍ଟି ହୋଇପାରେ ୧୯ ହଜାର ନିଯୁକ୍ତି ସୁଯୋଗ
କନକ ବ୍ୟୁରୋ : ଓଡିଶାରେ ପାଖାପାଖି ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଦୁବାଇରେ ପ୍ରତିଶ୍ରୃତି ଦେଇଛନ୍ତି ନିବେଶକ । ଏଥିସହ ୧୯ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ଭଲ ଖବର ହେଉଛି, ଦୁବାଇ ଓ କୁଏତ ପରି ମଧ୍ୟପ୍ରାଚ୍ୟର ଦେଶମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିଶେଷକରି ଖଣିଜଶିଳ୍ପ, ହୋଟେଲ ଶିଳ୍ପ, ୟୁରିଆ ପ୍ଲାଂଟରେ ନିବେଶ ପାଇଁ ଆଗ୍ରହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିଶ୍ରୃତି ଦେଇଛନ୍ତି ଓଡିଶାରେ ଶିଳ୍ପପ୍ରତିଷ୍ଠା ପାଇଁ ସରକାର ସମସ୍ତ ସହାୟତା ଯୋଗାଇଦେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଫିକି ଓ ୟୁଏଇରେ ଥିବା ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ୧୫୦ରୁ ଅଧିକ କଂପାନୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ଯାଏଁ ବିଶ୍ୱସ୍ତରୀୟ ନିବେଶକ ସମ୍ମିଳନୀ ଓଡିଶାରେ ଆୟୋଜିତ ହେବ । ଏଥିରେ ସାମିଲ ହେବା ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶୀ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମ ଥର ଦୁବାଇରେ ଓଡିଶା ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହାକୁ ନେଇ ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ଫିକି ଓ ୟୁଏଇରେ ଥିବା ଭାରତର ଦୂତାବାସର ଯୁଗ୍ମ ସହଯୋଗିତାରେ ରାଜ୍ୟ ସରକାର ଆୟୋଜନ କରିଥିବା ଏହି ନିବେଶକ ସମ୍ମିଳନୀରେ ୟୁଏଇ ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ୧୫୦ରୁ ଅଧିକ କଂପାନି ଅଂଶଗ୍ରହଣ କରିଥିଲେ । ଲୁଲୁ ଗ୍ରୁପ୍, ଏନ୍ବିଟିସି ଗ୍ରୁପ୍, ସରାଫ୍ ଗ୍ରୁପ୍, ଟ୍ବେଣ୍ଟି ଫୋର୍ଟିନ୍ ହୋଲ୍ଡିଂ, ତାବଲେଜ୍ ଗ୍ରୁପ୍, ଶୋଭା ଗ୍ରୁପ୍, ଆରବ ଆଣ୍ଡ୍ ଇଣ୍ଡିଆ ସ୍ପାଇସେସ୍ ଏଲ୍ଏଲ୍ସି ଓ ଡିପି ୱାର୍ଲଡ୍ ଭଳି ଏହି ଅଂଚଳରେ କାରବାର କରୁଥିବା ପ୍ରମୁଖ କଂପାନି ସମ୍ମିଳନୀରେ ଭାଗ ନେଇଥିଲେ । ଖଣିଜ ଓ ଧାତବ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ରସାୟନ, ପ୍ଲାଷ୍ଟିକ୍, ଭାରି ଶିଳ୍ପ, ସ୍ବଚ୍ଛ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରିକାଲ୍ ଉପକରଣ, ଇଲେକ୍ଟ୍ରୋନିକ୍ସ, ଲଜିଷ୍ଟିକ୍ସ, ରିଅଲ ଇଷ୍ଟେଟ୍ ଓ ଆତିଥେୟତା ଭଳି କ୍ଷେତ୍ରରେ କାରବାର କରୁଥିବା କଂପାନିଗୁଡ଼ିକ ସମ୍ମିଳନୀରେ ଭାଗ ନେଇଥିଲେ ।
ଓଡ଼ିଶାରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ବ୍ୟାପକ ସୁଯୋଗ ରହିଛି । ଭାରତର ୯୬% କ୍ରୋମାଇଟ, ୯୨% ନିକେଲ, ୫୩% ବକ୍ସାଇଟ୍, ୪୫% ମାଙ୍ଗାନିଜ, ୩୫% ଲୁହାପଥର ଓ ୨୩% କୋଇଲା ଓଡ଼ିଶାରେ ରହିଛି । ସେଥିପାଇଁ ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍, ଫେରୋ ଆଲଏଜ୍, ଆଲୁମିନା ଓ ଆଲୁମିନିୟମ କ୍ଷେତ୍ରର ପ୍ରମୁଖ ସଂସ୍ଥାଗୁଡ଼ିକ ଓଡ଼ିଶାରେ କାରଖାନା ସ୍ଥାପନ କରିଛନ୍ତି ।
୪୮୦ କିଲୋମିଟର ଲମ୍ବା ବେଳାଭୂମି ଥିବାରୁ ବନ୍ଦର ସ୍ଥାପନ ଲାଗି ଓଡ଼ିଶା ଏକ ଉପଯୁକ୍ତ ସ୍ଥାନ ଭାବେ ଉଭା ହୋଇଛି । ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ । ଭାରତର ଶ୍ରେଷ୍ଠ ୧୦୦ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୧୧ଟି ଅନୁଷ୍ଠାନର ନାମ ରହିଛି । ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି ପ୍ରକ୍ରିୟା ନିବେଶକମାନଙ୍କ କାର୍ଯ୍ୟକୁ ସହଜ କରିଛି। ରାଜ୍ୟରେ ୧୨୦୦ରୁ ଅଧିକ ଷ୍ଟାର୍ଟଅପ୍ ସଂସ୍ଥା ରହିଛନ୍ତି । ୫-ଟି ଅଧୀନରେ ମଧ୍ୟ ଶିଳ୍ପ ଓ ଭିତ୍ତିଭୂମି ବିକାଶ ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ଜଣାଇଥିଲେ ।