ରଣଜୀ ମ୍ୟାଚରେ ଜମ୍ମୁ-କାଶ୍ମୀରକୁ ମାତ୍ ଦେଲା ଓଡିଶା । ଦମଦାର ବ୍ୟାଟିଂ ବଳରେ ୮ ୱିକେଟରେ ଜିତିଲା ବିପ୍ଲବ ବ୍ରିଗେଡ

252

କନକ ବ୍ୟୁରୋ : ଚଳିତ ରଣଜୀ ସିଜନରେ ନିଜର ତୃତୀୟ ବିଜୟ ହାସଲ କରିଛି ଓଡିଶା । ଘରୋଇ ଜମ୍ମୁ-କାଶ୍ମୀରକୁ ୮ ୱିକେଟରେ ମାତ୍ ଦେଇ ଏକ ସହଜ ବିଜୟ ହାସଲ କରିଛି ଟିମ୍ ଓଡିଶା ।  ଦ୍ୱିତୀୟ ଇନିଂସରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ବିପ୍ଲବ ବ୍ରିଗେଡ । ଆଉ ଏହି ବିଜୟ ସହ ୭ ମ୍ୟାଚରୁ ତୃତୀୟ ବିଜୟ ସହ ଗ୍ରୁପ ସିରେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ଓଡିଶା ।

ଜମ୍ମୁ-କାଶ୍ମୀରର ଗାନ୍ଧୀ ମେମୋରିଆଲ ବିଜ୍ଞାନ ମହାବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଘରୋଇ ଜମ୍ମୁ-କାଶ୍ମୀର ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା । ତେବେ ଓଡିଶା ବୋଲରଙ୍କ ଘାତକ ବୋଲିଂ ଆଗରେ ସମ୍ପୂର୍ଣ୍ଣ ମୁଣ୍ଡ ନୁଆଇଁଥିଲା ଘରୋଇ ଟିମ୍ । ପ୍ରଥମ ଇନିଂସରେ ମାତ୍ର ୧୨୭ ରନରେ ପ୍ୟାଭିଲିୟନ ଫେରିଥିଲା ରସୁଲଙ୍କ ଟିମ୍ । ଜବାବରେ ଅଭିଷେକ ରାଉତଙ୍କ ଶତକ ବଳରେ ୩୨୩ ରନ କରିବା ସହ ୧୯୬ ରନର ପ୍ରଥମ ଇଂନିଂସ ଅଗ୍ରଣୀ ହାସଲ କରିଥିଲା ଓଡିଶା ।

ଦ୍ୱିତୀୟ ଇନିଂସରେ କିନ୍ତୁ ଧୈଯ୍ୟପୂର୍ଣ୍ଣ ବ୍ୟାଟିଂର ପ୍ରଦର୍ଶନ କରିଥିଲା ଜମ୍ମୁ-କାଶ୍ମୀର ଟିମ୍ । ଓଡିଶା ବୋଲରଙ୍କୁ ମୁକାବିଲା କରିବାରେ ସଫଳ ହୋଇଥିଲେ ଜମ୍ମୁ ବ୍ୟାଟସମ୍ୟାନ । ଖାସକରି ଅଧିନାୟକ ପରଭେଜ ରସୁଲ ଧୈଯ୍ୟପୂର୍ଣ୍ଣ ବ୍ୟାଟିଂ କରିବା ସହ ଓଡିଶା ହାତରୁ ବିଜୟ ଛଡାଇ ନେବାର ସମ୍ଭାବନା ସୃଷ୍ଟି କରିଥିଲେ । ତେବେ ବସନ୍ତଙ୍କ ଶାଣିତ ବୋଲିଂରେ ୩୯୧ରେ ଅଲଆଉଟ ହୋଇଥିଲା ପୂରା ଟିମ୍ ।

ଆଉ ପ୍ରଥମ ଇନିଂସରେ ୧୯୬ ରନରେ ଆଗୁଆ ଥିବା ଟିମ ଓଡିଶା ଦ୍ୱିତୀୟ ଇନିଂସରେ ୧୯୬ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । ପ୍ରାରମ୍ଭିକ ବ୍ୟାଟସମ୍ୟାନ ଶାନ୍ତନୁ ମିଶ୍ର ଓ ଶୁଭ୍ରାଂଶୁ ସେନାପତି ଅର୍ଦ୍ଧଶତକ ହାସଲ କରିବା ସହ ଓଡିଶାକୁ ଦମଦାର ବିଜୟ ଭେଟି ଦେଇଥିଲେ । ପୂର୍ବ ମ୍ୟାଚ ଗୁଡିକରେ ବ୍ୟାଟିଂ ବିଫଳତା ପାଇଁ ଆଲୋଚନାର ଶିକାର ହୋଇଥିବା ଓଡିଶା ଟିମ୍ ଏହି ମ୍ୟାଚରେ ବ୍ୟାଟିଂରେ ଜବରଦସ୍ତ ପ୍ରଦଶର୍ନ କରିଥିଲା । ଓଡିଶା ପକ୍ଷରୁ ଏହି ବସନ୍ତ ମହାନ୍ତି ସର୍ବାଧିକ ୭ଟି ୱିକେଟ ହାସଲ କରିଥିଲେ ।