ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଉତ୍ତରପ୍ରଦେଶରୁ ଓଡିଶା ଆସିବ ଲକ୍ଷେ ଇଭିଏମ୍, ପୂର୍ବରୁ ଆସିସାରିଛି ୧୨ ହଜାର ୨ଶହ ଭିଭିପାଟ ମେସିନ ।

21

କନକ ବ୍ୟୁରୋ : ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଉତ୍ତରପ୍ରଦେଶରୁ ଓଡିଶା ଆସିବ ଇଭିଏମ୍ । ରାଜ୍ୟକୁ ୧ ଲକ୍ଷରୁ ଅଧିକ ଇଭିଏମ୍ ଆଣିବାକୁ ପ୍ରସ୍ତୁତି କରାଯାଇଛି । ଇଭିଏମ୍ ଆଣିବାରେ ସହଯୋଗ ପାଇଁ ୨ ଜଣ ଓଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେମାନେ ହେଲେ ମନୋଜ ସ୍ୱାଇଁ ଏବଂ କୈଳାସ ଚନ୍ଦ୍ର ଦାସ । ରାଜ୍ୟ ସରକାରଙ୍କ ଏଭଳି ପ୍ରସ୍ତୁତିରୁ ଅନୁମାନ କରାଯାଉଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟରେ ନିର୍ବାଚନ ହୋଇପାରେ ।

ଏହା ପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ବୁଥ ପୁନର୍ଗଠନକୁ ନେଇ ବିଭିନ୍ନ ଜିଲ୍ଲାର ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ନେଇ ବୈଠକ ବସିସାରିଛି । ୧୨ ହଜାର ୨ଶହ ଭିଭିପାଟ ମେସିନ ଓଡିଶା ଆସିସାରିଛି । ଏଥିସହ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିବା ଏବଂ ପ୍ରତି ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ ଚିଠି ଲେଖିବା ଘଟଣାରୁ ଆଗୁଆ ନିର୍ବାଚନର ଆଭାସ ମିଳିସାରିଛି । ସେପଟେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାସଙ୍ଗେ କରିବା ନେଇ ପୂର୍ବରୁ ମୋଦି ସରକାରଙ୍କୁ ସମର୍ଥନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।