ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର : ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ

ସେପଟେ ଆଳତୀପୁର ପଂଚାୟତରୁ ଗଜପତିରେ ଓଡିଶାକୁ ରାସ୍ତା ସଂପ୍ରସାରଣ କରୁଛି ଆନ୍ଧ୍ର; ଅଟକାଇଲେ ଜିଲ୍ଲା ପ୍ରଶାସନିକ ଅଧିକାରୀ

1,392

କନକ ବ୍ୟୁରୋ : କୋରାପୁଟର କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାବେଳେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସିମାନ୍ତରେ ଥିବା ସାନ ଲୁକୁଟି ଗାଁ ଉପରେ  । ଓଡ଼ିଶାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ଆନ୍ଧ୍ର ଆରମ୍ଭ କରିଛି  ଗୋଟି ଚାଳନା। ଓଡ଼ିଶା ସୀମାରେ ଖୁଲାମ ଖୁଲା ବ୍ରିଜ ଓ ରାସ୍ତା ନିର୍ମାଣ ଆରମ୍ଭ କରିଦେଇଛି ଆନ୍ଧ୍ର। ଏ ହେଉଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ବୈରାଗୀ ହଲୁଆ ପଚାଂୟତର ସାନ ଲୁକୁଟି ଗାଁ  । ଏହି ଗାଁର ମାତ୍ର ୫ ଶହ ମିଟର ଦୁରରେ ଆରମ୍ଭ ହେଉଛି ଆନ୍ଧ୍ରର ସୀମା ।

ଆଉ ସୀମା ଆରପଟେ ଆନ୍ଧ୍ରର ଲଡ଼ା ନାମକ ଗାଁ ରହିଥିବା ବେଳେ ଗାଁକୁ ଯିବାକୁ ରାସ୍ତାଟିଏ ବି ନାହିଁ  । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବହିଯାଉଥିବା ନାଳ ହିଁ  ଏହି ଦୁଇ ଗାଁର ସୀମା  । ହେଲେ ଓଡ଼ିଶାର ବିନା ଅନୁମତିରେ ଆନ୍ଧ୍ର ସରକାର ଏହି ନାଳ ଉପରେ ନିର୍ମାଣ କରୁଛନ୍ତି ବ୍ରିଜ । ଏଥିସହ ସାନ ଲୁକୁଟି ଗାଁକୁ ସବୁଦିନିଆ ରାସ୍ତା । ସ୍ଥାନୀୟ ଲୋକଙ୍କ କହିବା ହେଲା ନିର୍ମାଣାଧିନ ବ୍ରିଜର ଅଧିକାଂଶ ଓଡ଼ିଶା ମାଟିରେ ରହିଛି ।

ସେହିପରି ଗଜପତିରେ ଗତ ୧୩ ତାରିଖରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ପୁଣି ଏଠାରେ ରାସ୍ତା ନିର୍ମାଣ ଚଳାଇଛି । ଓଡିଶା ଭିତରେ ପଶି କରୁଛି ରାସ୍ତା ନିର୍ମାଣ । ଆନ୍ଧ୍ର ପ୍ରଦେଶର ଆଳତିପୁର ପଂଚାୟତରୁ ଓଡିଶାକୁ ଯୋଗାଯୋଗ କରୁଥିବା ରାସ୍ତାକୁ ସଂପ୍ରସାରଣ କରି ଓଡିଶା ଆଡକୁ ବଢାଇ ଚାଲିଥିଲା ଆନ୍ଧ୍ର । ଖବର ପାଇ ଗଜପତି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପହଂଚି ଏହି ନିର୍ମାଣ କାମକୁ ବନ୍ଦ କରିଛନ୍ତି ।