ତାଜମହଲ ନହେଉ ପଛେ, ପାହାଡ଼ିଆ ଜମିର ଛାତି ଚିରି ପ୍ରେମ ସନ୍ତକ ସାଇତିଲେ । ୫ ଏକରର ଜଙ୍ଗଲ ସୃଷ୍ଟି କରି ‘ପରିବେଶ’ ସୁରକ୍ଷା ବାର୍ତ୍ତା ଦେଲେ ।

574

କନକ ବ୍ୟୁରୋ: ପତ୍ନୀଙ୍କ ପାଇଁ କିଏ ତାଜମହଲ ବନାଇଛି ତ କିଏ ସ୍ମାରକୀ । ହେଲେ ପତ୍ନୀଙ୍କ ସ୍ମୃତିରେ ଜଙ୍ଗଲ ସୃଷ୍ଟି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗଂଜାମ ଜିଲ୍ଲାର ଖଦଳା ନାୟକ । ସ୍ତ୍ରୀଙ୍କ ସ୍ମୃତି ଓ ପରିବେଶ ସୁରକ୍ଷା ଲକ୍ଷ୍ୟରେ ହେକ୍ଟର ହେକ୍ଟର ଜମିରେ ବନାଇ ଚାଲିଛନ୍ତି ଜଙ୍ଗଲ । ୫ ଏକର ଜାଗାରେ ୨୦ ହଜାରରୁ ଉର୍ଦ୍ଧ ଗଛ ଲଗାଇ ସ୍ଥାନୀୟ ଅଂଚଳରେ ଟ୍ରି ମ୍ୟାନ୍ ବା ଗଛ ମଣିଷ ପରିଚୟ ପାଇଛନ୍ତି ଖଦଳା ନାୟକ ।

ପରିଣତ ବୟସରେ ପରିବେଶ ସୁରକ୍ଷା ଚିନ୍ତା । ଇଏ ହେଉଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକର ଦୁବପଲ୍ଲୀ ଗ୍ରାମର ଖଦାଳ ନାୟକ । ୫ ଏକର ପାହାଡ଼ିଆ ଜମିରେ ଯିଏ ଠିଆ କରିଛନ୍ତି ଘଂଚ ଜଙ୍ଗଲ । ଯୁବାବସ୍ଥାରେ କିଣିଥିବା ନିଜର ଏହି ପାହାଡିଆ ଜମିରେ ସ୍ତ୍ରୀଙ୍କ ପ୍ରେରଣାରେ ଗଛ ଲଗାଇବା ଆରମ୍ଭ କରିଥିଲେ ଖଦଳା । ପତ୍ନୀଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ନିଜ ଜମିରେ ପ୍ରାୟ ୨୦ ହଜାର ଗଛ ଲଗାଇଲେ । ବାହାଡ଼ା, ପିପଳି, ଗୋଲମରିଚ, ବେରୁଆଁ ନିମ୍ବ ଓ ନଡ଼ିଆ, ଡ଼ାଳିମ୍ବ, ଆମ୍ବ ଆଦି ଗଛ ଲଗାଇ ସେହି ଗଛ ବଢ଼ିବାର ଦେଖି ସେ ତାଙ୍କ ସ୍ତ୍ରୀଙ୍କ ସୃତିକୁ ମନେପକାଇଥାନ୍ତି ।

ଖଦଳା ନାୟକଙ୍କ ଏଭଳି ଉଦ୍ୟମ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କୁ ଓ ତାଙ୍କ ଜଙ୍ଗଲକୁ ଦେଖିବାକୁ ବହୁ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସେଠାକୁ ଆସୁଛନ୍ତି । ଦ୍ୱୀତିୟ ପତ୍ନି ଓ ତାଙ୍କ ପୁଅଙ୍କ ସହଯୋଗରେ ସେ ଏବେ ଏହି ଜଙ୍ଗଲର ଦେଖାରେଖା କରୁଛନ୍ତି । ପରିଣତ ବୟସରେ ପରିବେଶ ସୁରକ୍ଷା ନେଇ ଖଦଳା ନାୟଙ୍କ ଯେଉଁ ଅବଦାନ ନିଶ୍ଚିତ ଭାବେ ପ୍ରେରଣାଦାୟୀ ।