ଓଡିଶା ଛାତ୍ରଙ୍କ କୃତିତ୍ୱ । ଦିବ୍ୟାଙ୍ଗଙ୍କ ପାଇଁ ନିର୍ମାଣ କଲେ ସୌରଚାଳିତ ହ୍ୱିଲଚେୟାର । ଆଉ କାହା ଉପରେ କରିବେ ନାହିଁ ନିର୍ଭର ।

27

ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ତାଙ୍କ ଜୀବନକୁ ଅଧିକ ସହଜ ଓ ସରଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟସରକାର ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା କରୁଛନ୍ତି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନାନା ପ୍ରକାର ବ୍ୟବସ୍ଥା କରୁଛନ୍ତି । ତଥାପି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଏହି ଦିବ୍ୟାଙ୍ଗମାନଙ୍କୁ । ଅଫିସ ହେଉ କିମ୍ବା ଟ୍ରେନଯାତ୍ରା, କି ବସ ଯାତ୍ରାରେ ସେମାନଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ ।
ଆଉ ଦିବ୍ୟାଙ୍ଗମାନେ ଡାକ୍ତରଖାନରେ କିଭଳି ଅସୁବିଧ।।ର ସମ୍ମୁଖୀନ ହୁଅନ୍ତି ଆପଣ ଦେଖିଲେ ଜାଣିପାରିବେ । ତେବେ ଏଭଳି କଷ୍ଟରୁ କେତେକାଂଶରେ ସେମାନଙ୍କୁ ଲାଘବ କରେ ହ୍ୱିଲ ଚେୟାର । କିନ୍ତୁ ଏହି ହ୍ୱିଲ ଚେୟାରରେ ତାଙ୍କ ପାଇଁ ଜଣକୁ ନିୟୋଜିତ ହେବାକୁ ପଡିଥାଏ । ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ଆଉ ଜଣଙ୍କର ସାହାଯ୍ୟ ନେବାକୁ ପଡିଥାଏ । ପ୍ରତି କ୍ଷେତ୍ରରେ ଅନ୍ୟ ଜଣଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ ।

ଦିବ୍ୟାଙ୍ଗଙ୍କ ଜୀବନରେ ଖୁସି ଭରିବା ପାଇଁ ଓ ସେମାନଙ୍କ ଜୀବନକୁ ସରଳ କରିବା ପାଇଁ ଓଡିଶା ଛାତ୍ରମାନେ ଏକ ଅଭିନବ ଉଦ୍ୟମ କରିଛନ୍ତି । କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏଭଳି ଏକ ହ୍ୱିଲ ଚେୟାର ନିର୍ମାଣ କରିଛନ୍ତି, ଯାହା ସୌରଶକ୍ତି ଦ୍ୱାରା ଚାଲିପାରିବ । ଥରେ ବ୍ୟାଟେରୀ ଚାର୍ଜ ହୋଇଗଲେ ଏହି ସୋରଶକ୍ତି ଦ୍ୱାରା ପରିଚାଳିତ ହ୍ୱିଲ ଚେୟାର ତିନିରୁ ଚାରି ଘଂଟା କାମ କରିପାରିବ । ଏବଂ ଏହା ଘଂଟା ପ୍ରତି ୧୫ରୁ ୨୦ କିଲୋମିଟର ବେଗରେ ଚାଲିପାରିବ ।

ଏଭଳି ଅଭିନବ ଯୋଜନାର ଶ୍ରେୟ ଏସଭିନିରତାରର ଫିଜିଓଥେରାପି ବିଭାଗ ଅଷ୍ଟମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କୁ ଦିଆଯିବ । ବିଭାଗୀୟ ମୁଖ୍ୟ ପତିତପାବନ ମହାନ୍ତି ଓ ଅଧ୍ୟାପକ ବସନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଶ ଜଣ ଛାତ୍ର ମାତ୍ର ଦୁଇ ମାସରେ ଦିବ୍ୟାଙ୍ଗଙ୍କ ପାଇଁ ଏଭଳି ହ୍ୱିଲ ଚେୟାର ନିର୍ମାଣ କରିପାରିଛନ୍ତି ।

ଏହି ହ୍ୱିଲ ଚେୟାର ଦ୍ୱାରା କେବଳ ଦିବ୍ୟାଙ୍ଗମାନେ ଉପକୃତ ହେବେ ନାହିଁ ବରଂ ସ୍ପାଇନାଲ କର୍ଡ ଆଘାତ ପ୍ରାପ୍ତ ବ୍ୟକ୍ତିମାନଙ୍କ ଉପକାରରେ ଆସିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ହ୍ୱିଲ ଚେୟାର ବ୍ୟବହାର ପାଇଁ ଦିବ୍ୟାଙ୍ଗମାନଙ୍କୁ ଆଉ କାହାର ସହାୟତା ନେବାକୁ ପଡିବ ନାହିଁ । ଏହାକୁ ସେମାନେ ନିଜେ ଚଳାଇ ପାରିବେ । ନିଜ ଇଚ୍ଛା ମୁତାବକ ସ୍ପିଡରେ ସେମାନେ ହ୍ୱିଲ ଚେୟାର ଚଳାଇ ପାରିବେ । ଏହି ହ୍ୱିଲ ଚେୟାରରେ ହର୍ଣ୍ଣ ବି ଲଗାଯାଇଛି । ସୌରଶକ୍ତି ଦ୍ୱାରା ଚାଲିପାରୁଥିବା ଏହି ହ୍ୱିଲ ଚେୟାରର ଦାମ ୪୦ହଜାରରୁ -୫୦ହଜାର ଭିତରେ ରହିଛି ।