ବଲାଙ୍ଗୀରରୁ ୯ କେଜିର ହାତୀ ଦାନ୍ତ ଜବତ, ଜଣେ ଅଭିଯୁକ୍ତ ଗିରଫ

135

କନକ ବ୍ୟୁରୋ : ୯ କେଜିର ହାତୀ ଦାନ୍ତ ସହ ଜଣେ ଅଭିଯୁକ୍ତ ଗିରଫ । ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ବଲାଙ୍ଗୀର ଜିଲ୍ଲାର ତୁସୁରା ପୁଲିସ ଷ୍ଟେସନ ଅନ୍ତର୍ଗତ ଗୁଦଭେଲା ଗ୍ରାମ ନିକଟରେ ଜଣେ ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିବା ସହ ଗୋଟିଏ ହାତୀ ଦାନ୍ତକୁ ଜବତ କରିଛି । ନିର୍ଭରଯୋଗ୍ୟ ସୂଚନା ଆଧାରରେ ଗତକାଲି ବଲାଙ୍ଗୀର ବନ ବିଭାଗ ଅଧୀନରେ ଥିବା ଦେଓଗାଁ ଟେରିଟୋରିଆଲ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହାୟତାରେ ଏସଟିଏଫ ଟିମ୍ ଚଢ଼ାଉ କରିଥିଲା ।

ଫଳସ୍ୱରୂପ, ଚଢ଼‌ାଉ କରି ବଲାଙ୍ଗୀର ଜିଲ୍ଲାର ତୁସୁରା ପୁଲିସ ସୀମା ଅନ୍ତର୍ଗତ ନିମୁସିଂହର ବିପୁଲ ବାଗ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏସଟିଏଫ । ଚଢ଼ାଉ ବେଳେ ଅଭିଯୁକ୍ତ ପାଖରୁ ଗୋଟିଏ ହାତୀ ଦାନ୍ତ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଜବତ ପରେ ହାତୀ ଦାନ୍ତର ଓଜନ ମପାଯାଇଥିବା ବେଳେ ଦାନ୍ତର ଓଜନ ୯କେଜି ବୋଲି ଜଣାପଡ଼ିଛି । ଅଭିଯୁକ୍ତଜଣକ ଏପରି ହାତୀ ଦାନ୍ତକୁ ପାଖରେ ରଖିବା ପାଇଁ କୌଣସି ବୈଧ କାଗଜପତ୍ର ଦେଖାଇନପାରିବାରୁ ତାଙ୍କୁ ଅଟକ ରଖାଯାଇଥିଲା ଏବଂ ଶେଷରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ବନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

୨୦୨୦ପରଠାରୁ, ଏସଟିଏଫ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଅଧିନରେ ୨୧ଟି ଚିତାବାଘ ଛାଲ, ୧୨ଟି ହାତୀ ଦାନ୍ତ, ଦୁଇଟି ହରିଣ ଛାଲ, ଆଠଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୫କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି । ଏହା ସହ ୪୮ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଛି ।