ବିରଞ୍ଚିଙ୍କ ପଛରେ ବଡ଼ ମୁଣ୍ଡ କିଏ ? ଚାକିରୀ ପ୍ରତିଶ୍ରୁତି ଦେଇ ଏକୁଟିଆ ଟଙ୍କା ଆଦାୟ କରିଛନ୍ତି ବିରଞ୍ଚି ନାଁ ଅଛନ୍ତି ଆଉ କିଏ ବଡ଼ ଅଧିକାରୀ ?

302

କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ପଛରେ କିଏ ରହିଛି ବଡ଼ ମୁଣ୍ଡ । ଅଭିଯୁକ୍ତ ପିଏସଙ୍କ ଘରୁ ଭିଜିଲାନ୍ସ ବିଭାଗ ଜବତ କରିଛି, ଆଡମିଟ କାର୍ଡ ଓ ଅନ୍ୟ କାଗଜ ପତ୍ର । ଓଏସଏସସି ଏକଜାମର ଆଡମିଟ କାର୍ଡ ବ୍ୟକ୍ତିଗତ ସଚିବଙ୍କ ଘରୁ ଜବତ ହେବା ନିଯୁକ୍ତି ଜାଲିଆତି ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଏବେ ପ୍ରଶ୍ନ ଉଠୁଛି ଯେ, ଚାକିରୀ ପ୍ରତିଶ୍ରୁତି ଦେଇ ପିଏସ ବିରଞ୍ଚି ଏକୁଟିଆ ଟଙ୍କା ଆଦାୟ କରିଛନ୍ତି ନାଁ ଆଉ କିଏ ବଡ଼ ଅଧିକାରୀ ତାଙ୍କ ପଛରେ ରହିଛନ୍ତି, ସେ ନେଇ ତଦନ୍ତ କରିବ କି ଭିଜିଲାନ୍ସ । କୁବେର ଭଳି ତାଙ୍କ ସମ୍ପତ୍ତିର ଅନ୍ୟ କିଛି ବେଆଇନ ଉତ୍ସ ରହିଛି କି ?

ଏମିତି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରହିଛି । ତେବେ କେତେଜଣ ପରିକ୍ଷାର୍ଥୀଙ୍କ ସହ ବିରଞ୍ଚି ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କୁ କଣ ପ୍ରତିଶ୍ରୁତି ଦିଆଯାଇଥିଲା ଜାଣିବା ଲାଗି ଆଡମିଟ କାର୍ଡ ମିଳିଥିବା ପରିକ୍ଷାର୍ଥୀଙ୍କୁ ମଧ୍ୟ ଜେରା କରିବାକୁ ଚିନ୍ତା କରୁଛି ଭିଜିଲାନ୍ସ । ଓଏସଏସସି ଏକଜାମର ଆଡମିଟ କାର୍ଡ ବ୍ୟକ୍ତିଗତ ସଚିବଙ୍କ ଘରୁ ଜବତ ହେବା ନିଯୁକ୍ତି ଜାଲିଆତି ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି ।

ସେହିପରି ତାଙ୍କ ବାସଭବନରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ରିଲିଜ କରି ସୂଚନା ଦିଆଯାଇଛି । ଭିଜିଲାନ୍ସ ବିଭାଗର ପ୍ରେସ ରିଲିଜ ଅନୁସାରେ ନିଳାଦ୍ରୀ ବିହାରରେ ଦ୍ୱିତଳ ପ୍ରାସାଦ, ଭୁବନେଶ୍ୱର ଭକ୍ତି ବିହାର ଓ କଟକ ଗୋଡିବନ୍ଧରେ ଘର ଅଛି । ସେହିପରି ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ୧୪ଟି ପ୍ଲଟ ବିରଞ୍ଚିଙ୍କ ନାଁରେ ରହିଛି । ଗୋଟିଏ ଚାରି ଚକିଆ ଯାନ, ଦୁଇଟି ବାଇକ, ୫୬ ଲକ୍ଷ ଟଙ୍କାର ବିମା କାଗଜ ପତ୍ର ଜବତ ହୋଇଛି । ତାଙ୍କ ଓ ତାଙ୍କର ସଂପର୍କିୟୀଙ୍କ ଘରୁ ୨୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ।

ପ୍ରାୟ ୬୦ ଲକ୍ଷ ଟଙ୍କାର ଦେଢ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ବିରଞ୍ଚି ସାହୁଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ କୋଠା ଘର ଓ ଠାବ ହୋଇଥିବା ପ୍ଲଟର ମୂଲ୍ୟାୟନ ଚାଲିଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ।