ଚାଇନା ମାଲକୁ ବର୍ଜନ କରିବା ପାଇଁ ପୁଣି ଉଠିଲା ସ୍ୱର । ସୀମାରେ ସହିଦ ହେଉଛନ୍ତି ଯବାନ, ଏପଟେ ଭାରତରେ ଚୀନ ଚଳାଇଛି ବ୍ୟବସାୟ । ଅଭିଯୋଗ, ଭାରତୀୟଙ୍କ ଅର୍ଥରେ ବଳିୟାନ ହେଉଛି ଚୀନ ।

975

କନକ ବ୍ୟୁରୋ: ସୀମାରେ ଚୀନ୍ ଚଳାଇଛି ଷଡ଼ଯନ୍ତ୍ର  । ଭାରତୀୟ ଭୂମିର ରକ୍ଷା କରି ସହିଦ ହୋଇଛନ୍ତି ଆମ ବୀର ଯବାନ  । ଚୀନକୁ ସାବାଡ଼ କରିବା ନିହାତି ଦରକାର  ।  ଆଉ ଏହି ସମୟରେ ଆମେ କେମିତି ବ୍ୟବହାର କରିବୁ ଚୀନ୍ ତିଆରି ସାମଗ୍ରୀ  । ଏମିତି କିଛି ସ୍ୱର ଥିଲା ଏମାନଙ୍କ କଣ୍ଠରେ  । ରାଜ୍ୟର ଜଗତସିଂହପୁର, ଭୁବନେଶ୍ୱର, କେନ୍ଦ୍ରାପଡ଼ା ପରି ଜାଗାରେ ଚୀନ୍ ଜିନିଷ ବର୍ଜନ ଦାବିରେ ହୋଇଛି ଶୋଭାଯାତ୍ରା, ବିକ୍ଷୋଭ, ପ୍ରତିବାଦ  । “ଚୀନ୍ ଜିନିଷ ବର୍ଜନ କର, ଚୀନକୁ ଜବାବ ଦିଅ’ ଏହି ନାରା ସହ ଡ୍ରାଗନ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଏମାନେ  । ଜଗତସିଂହପୁର ଜିଲ୍ଲା ଗଣସଂଗ୍ରାମ ପରିଷଦ ପକ୍ଷରୁ ଚୀନ୍ ଜିନିଷ ବର୍ଜନ ଶୋଭାଯାତ୍ରା ସହରର ଟାଉନ ହଲ୍ ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିଥିଲା  ।

ସେହିପରି ଭୁବନେଶ୍ୱରରେ କଳିଙ୍ଗସେନା ଓ କେନ୍ଦ୍ରାପଡ଼ାରେ ବଳଦେବ ସେନା ପକ୍ଷରୁ ଶୋଭଯାତ୍ରା କରାଯାଇ ଚୀନ୍ ସମାଗ୍ରୀ ଜିନିଷକୁ ବର୍ଜନ କରିବାକୁ ଦାବି କରାଯାଇଛି  । ଚୀନକୁ ଉଚିତ୍ ଜବାବ ଦେବାକୁ ଏକାଠି ହେବାକୁ ପଡ଼ିବ  । ଚୀନ୍ ଜିନିଷ କିଣିବା ନାହିଁ ପରି ମନ୍ତ୍ରକୁ ଆପଣେଇବାକୁ ପଡ଼ିବ ବୋଲି କହିଛନ୍ତି ଶୋଭାଯାତ୍ରାକାରୀ

କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଜାଗାରେ ଚୀନ୍ ବିରୋଧୀ ବିକ୍ଷୋଭ ଓ ଶୋଭାଯାତ୍ରା ହୋଇଛି   । ପୁନେ, ବାରଣାସୀ, ଅହମଦାବାଦ, ବାଙ୍ଗାଲୋର ପରି ସହରରେ ଚୀନ୍ ଜିନିଷ ନକିଣିବାକୁ, ବ୍ୟବହାର ନକରିବାକୁ ଦାବି କରି ରାଲି ଓ ବିକ୍ଷୋଭ ହୋଇଛି  । ଚୀନ୍ ବିରୋଧରେ ବଢ଼ିଚାଲିଛି ଦେଶବାସୀଙ୍କ ମଧ୍ୟରେ ଆକ୍ରୋଶ  । ଚୀନ୍ ସହ ସୀମାରେ ଉତ୍ତେଜନା ଓ ଯବାନ ସହିଦ ହେବା ପରେ ଏହି ଆକ୍ରୋଶ ବଢ଼ିଚାଲିଛି ।