ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ ୩ ପୁଲିସ କର୍ମଚାରୀ : ମିଛ ରେଡ୍ କରି ଟଙ୍କା ଗାଏବ କରିବାକୁ ଦୁଇ କନେଷ୍ଟବଳ ଓ ଜଣେ ହାବିଳଦାର କରିଥିଲେ ଷଡଯନ୍ତ୍ର

602

କନକ ବ୍ୟୁରୋ : କେବେ ଦେଖିଛନ୍ତି ନଗଦ କୋଟିଏ ଟଙ୍କା । ଏକାଠି ନଗଦ କୋଟିଏ ଟଙ୍କାର ବିଡା ବିଡା ନୋଟ ଆପଣ ଓ ଆମ ପରି ସାଧାରଣ ଲୋକ ଯେଉଁଠି ଦେଖିବା ସ୍ୱପ୍ନ, ସେଠି ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଥିଲେ ୩ ପୁଲିସ କର୍ମଚାରୀ । ଆଉ ସେଥିପାଇଁ ରଚିଥିଲେ ମିଛ ରେଡର ଷଡଯନ୍ତ୍ର । ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ୨ କନଷ୍ଟେବଳ ଓ ଜଣେ ହାବିଲଦାର । ନଗଦ ୯୯ ଲକ୍ଷ ୫୦ ହଜାର ଟଙ୍କା । ଭୁବନେଶ୍ୱରର ଏକ ଓୟୋ ହୋଟେଲରେ ବେଟିଂ ଚାଲିଛି କହି ପୋଲିସ ରେଡ କରିବା ପରେ ଏହି ଟଙ୍କା ଜବତ କରିଥିଲା । ହେଲେ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଲୁଟିବା ପାଇଁ କିଛି ପୁଲିସ କର୍ମଚାରୀ ଯେଉଁ ମାଷ୍ଟର ପ୍ଲାନ କରିଥିଲେ, ତାହା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରାଇଦେବ ।

ଠକାମୀର ଶିକାର ହୋଇଛନ୍ତି କରଞ୍ଜିଆର କମଳ ସାହା ନାମକ ବ୍ୟବସାୟୀ । କୋଟିଏ ଟଙ୍କାକୁ ଦେଢ କୋଟି ଟଙ୍କା କରିଦେବାର ଲୋଭ ଦେଖାଇ ତାଙ୍କୁ ଭୁବନେଶ୍ୱର ଡାକିଥିଲେ ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢୀ ଓ ରାଜ ରାଇ ବାହାଦୂର । ଲୋଭର ବଶବର୍ତୀ ହୋଇ କମଳ ୧ କୋଟି ଟଙ୍କା ନେଇ ଭୁବନେଶ୍ୱର ଆସିଥିଲେ । ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଥିବା ବେଳେ ପ୍ରତି ପ୍ୟାକେଟରେ ରହିଥିଲା ଅଢେଇ ଲକ୍ଷ ଟଙ୍କା । ଓୟୋ ହୋଟେଲରେ କାରବାର ଚାଲିଥାନ୍ତା, ହେଲେ ଷଡଯନ୍ତ୍ରରେ ସାମିଲ ପୋଲିସ ଅଧିକାରୀ ସେଠାରେ ବେଟିଂ ଚାଲୁଥିବା କହି ରେଡ କରାଇଥିଲେ । ଉଦ୍ଦେଶ୍ୟ ଥିଲା ବ୍ୟବସାୟୀଙ୍କ ଟଙ୍କା ହଡପ କରିବା । ପୋଲିସ ୩୧ଟି ଟଙ୍କା ପ୍ୟାକେଟ ଜବତ କରିଥିବା ବେଳେ ୯ଟି ପ୍ୟାକେଟ୍ ନେଇ ଚମ୍ପଟ ମାରିଥିଲେ ହାବିଲଦାର ଦିଲ୍ଲିପ ମଲ୍ଲିକ ସମେତ ୨ କନେଷ୍ଟବଳ ସନ୍ଦୀପ ପୃଷ୍ଟି, ଓ ପ୍ରଫୁଲ୍ଲ ଭୂୟାଁ ।