ରାଜନୀତିରେ ‘ମିଶନ ଶକ୍ତି’ । ବିଜେପି କହିଲା, ମହିଳାଙ୍କ ପ୍ରକୃତ ବିକାଶ କରୁନାହାଁନ୍ତି ସରକାର । ବିଜେଡିର ଜବାବ- ମିଶନ ଶକ୍ତି ଜରିଆରେ ମହିଳାଙ୍କ କରା ଯାଉଛି ସଶକ୍ତିକରଣ ।

281

କନକ ବ୍ୟୁରୋ : ମିଶନ ଶକ୍ତିକୁ ୪୫୩ କୋଟିର ପ୍ୟାକେଜ ଘୋଷଣା ପରେ ମହିଳାଙ୍କୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ୭୦ ଲକ୍ଷ ମହିଳା ସଦସ୍ୟ ଥିବା ଏହି ଗ୍ରୁପ ଏକ ବଡ ଧରଣର ଭୋଟ ବ୍ୟାଙ୍କ ହିସାବରେ ବ୍ୟବହାର ହେଉଛନ୍ତି କି ?  ତାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି । ୨୦୦୧ରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି ଜରିଆରେ ବିଜେଡି ମହିଳା ଭୋଟକୁ ଏକାଠି କରି ରଖୁଥିବା ଚର୍ଚ୍ଚା ହେଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମହିଳା ଭୋଟର କେଉଁ ପଟକୁ ଢଳିବେ ତା ଉପରେ ନଜର ରହିଛି ।

୨୦୦୧ରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କୁ ସଶକ୍ତ କରିବାକୁ ଗଠିତ ହୋଇଥିବା ମିଶନ ଶକ୍ତି ଆଜିର ଦିନରେ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ରାଜ୍ୟ ସରକାର ଯୁକ୍ତି ବାଢୁଛନ୍ତି । ୭୦ ଲକ୍ଷ ମହିଳା ସଦସ୍ୟ ଥିବା ଏହି ଗୋଷ୍ଠୀକୁ ବିକାଶ ବାହିନୀ ନାମରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକଥା ସ୍ପଷ୍ଟ ଯେ, ଶାସକ ବିଜୁ ଜନତା ଦଳର ବଢୁଥିବା ଭୋଟ ବ୍ୟାଙ୍କ ପଛରେ ମିଶନ ଶକ୍ତିର ବଡ ଭୂମିକା ରହିଛି । ବିଜେଡିର ଏହି ମହିଳା ଭୋଟବ୍ୟାଙ୍କକୁ ଭାଙ୍ଗିବାକୁ ବିରୋଧୀ ଉଦ୍ୟମ କରିଛନ୍ତି, ହେଲେ ସେତେଟା ସଫଳତା ପାଇନାହାନ୍ତି ।

ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ମହିଳାଙ୍କୁ ଅଧିକ ସଶକ୍ତ କରିବାକୁ ଉଦ୍ୟମ କରିଥିବା ଘୋଷଣା କରିଥିବା ବେଳେ ଏହା ପଛରେ ଯେ ରାଜନୈତିକ ଉଦ୍ଦେଶ୍ୟ ରହିଛି, ଏଥିରେ କୈାଣସି ଦ୍ୱନ୍ଦ୍ୱ ନାହିଁ । ବିଜେପି ଉଜ୍ୱଳା ଯୋଜନା ଜରିଆରେ କିଛିମାତ୍ରାରେ ମହିଳା ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ଉଦ୍ୟମ କରିଥିଲା, ହେଲେ ସଫଳତା ପାଇନଥିଲା ।

ମିଶନ ଶକ୍ତିକୁ ଏବେ :

– ୪୫୩ କୋଟିର କୋଭିଡ ପ୍ୟାକେଜ ଘୋଷଣା କରାଯାଇଛି

– ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ ହେବ

– ପ୍ରତି ଘର ପିଛା ୫୦ ଲକ୍ଷ ଟଙ୍କା ହିସାବରେ ୧୬୯ କୋଟି

– ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟିର ଆବର୍ତ୍ତନ ପାଣ୍ଠି

– ଏସଏଚଜିଙ୍କ ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି

ଏଭଳି ଘୋଷଣା ଜରିଆରେ ସିଧା ୭୦ ଲକ୍ଷ ମହିଳାଙ୍କ ପାଖରେ ପହଁଚିବାକୁ ବିଜେଡି ଚେଷ୍ଟା କରିଛି । କିଛି ଦିନ ଆଗରୁ ନିର୍ମାଣ ଶ୍ରମିକ ଏବଂ ନରେଗା ଶ୍ରମିକଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଥିଲେ ସରକାର । ତେଣୁ ପଞ୍ଚାୟତ ନିର୍ବାଚନ ଆଗରୁ ଏକ ବଡ ଭୋଟ ବ୍ୟାଙ୍କ ପାଖକୁ ଆଗୁଆ ପହଁଚିବାକୁ ଏହା ରଣନୀତି ବୋଲି ଅନୁମାନ କରାଯାଉଛି । ଗୋଟିଏ ଯୋଜନାକୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟକାରୀ କରାଇବାରେ ଓଡିଶା ହେଉଛି ଦେଶରେ ପ୍ରଥମ । ସେହିଭଳି ଗତ ଦୁଇ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ମିଶନ ଶକ୍ତି ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।