ଓଡିଶା ପୁଲିସକୁ ବଡ ଆଶ୍ୱସ୍ତି : ଆନ୍ଧ୍ର ପୁଲିସର ଗୁଳିରେ ଟଳିପଡିଲେ ଓଡିଶାରେ ସ୍ୱାଭିମାନ ଅଂଚଳରେ ସକ୍ରିୟ ଥିବା ମାଓବାଦୀ; ଖସିପଳାଇଲା ଉଦୟ, ବଡିଗାର୍ଡ ମୃତ

193

କନକ ବ୍ୟୁରୋ : ଓଡିଶା ପୁଲିସକୁ ଆଶ୍ୱସ୍ତି । ଆନ୍ଧ୍ର ପୁଲିସର ଗୁଳିରେ ଟଳି ପଡିଲେ ଓଡିଶାରେ ସକ୍ରିୟ ଥିବା ଟପ ମାଓବାଦୀ । ଆଉ ମାଓ ନେତା ଉଦୟ ମଧ୍ୟ ଖସି ପଳେଇ ଥିବା ଜଣାପଡିଛି । ଗତକାଲି ବିଶାଖାପାଟଣା ଜିଲ୍ଲା ମାମ୍ପା ଥାନା ଅନ୍ତର୍ଗତ ଟିଗଲମେଟା ଜଂଗଲରେ ଘଟିଥିବା ଏନକାଉଂଟରରେ ସ୍ୱାଭିମାନ ଅଂଚଳରେ ସକ୍ରିୟ ଥିବା ୬ ଜଣ ମାଓବାଦୀ ପ୍ରାଣ ହରାଇ ଥିବା ଘଟଣା ଓଡିଶା ପୁଲିସକୁ ଏକ ବଡ ଆଶ୍ୱସ୍ତି ଆଣି ଦେଇଛି । କାରଣ ଯେଉଁ ମାଓବାଦୀଙ୍କୁ ଧରିବା ଲାଗି ସ୍ୱାଭିମାନ ଅଂଚଳରେ ଅହରହ ସଂଗ୍ରାମ ଜାରି ରହି ଥିଲା, ସେମାନେ ଆନ୍ଧ୍ର ପୁଲିସର ଜାଲରେ ଛନ୍ଦି ହୋଇ ପ୍ରାଣ ହରାଇଛନ୍ତି ।

ଟିଗଲମେଟା ଜଂଗଲରେ ଟପ ମାଓ ନେତାଙ୍କ ଶିବିର ଚାଲିଥିବା ଖବର ପାଇ ଅପରେଶନ ଲଂଚ କରିଥିଲା ଆନ୍ଧ୍ର ଗ୍ରେହାଉଣ୍ଡର ଯବାନ । ଆଉ ଗ୍ରେହାଉଣ୍ଡ ଯବାନଙ୍କ ଗୁଳିରେ ଏସବିର ଟପ ମାଓନେତା ତଥା ଡିସିଏମ କ୍ୟାଡର ରଣଦେବ ଓ ଅଶୋକ ଏବଂ ସନ୍ତୁ ନାଚିକା ଓ ୩ ମହିଳାଙ୍କ ସମେତ ୬ ମାଓବାଦୀ ପ୍ରାଣ ହରାଇଛନ୍ତି । ଡିସିଏମ କ୍ୟାଡର ରଣଦେବ ଓରଫ ଦେବା ମାଢି ଓରଫ ଅର୍ଜୁନ ଗତ ୧୭ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଥିଲା । ସେ କାଲିମେଳା, ସ୍ୱାଭିମାନ ଅଂଚଳ ପରେ ଏବେ ବୌପାରିଗୁଡା ଏଲଓଏସର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉ ଥିଲେ । ତାଙ୍କ ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ସେ ମାଲାକନଗିରି କାଲିମେଳା ଥାନା ଅନ୍ତର୍ଗତ ବଡ ଟେକଗୁଡା ଗାଁର ବାସିନ୍ଦା ।

ସେହିପରି ଡିସିଏମ ଡାକ୍ତର ଅଶୋକ ଓରଫ ସାଣ୍ଡେ ଗାଙ୍ଗିଆ ସଙ୍ଗଠନରେ ଗତ ୨୦ବର୍ଷ ଧରି ଚିକିତ୍ସା ଆଦି କାମ କରୁଥିବାରୁ ସେ ଦଳରେ ଡାକ୍ତର ଭାବେ ପରିଚିତ ଥିଲେ । ତାଙ୍କ ଘର ତେଲେଙ୍ଗାନା କରିମନଗର ଜିଲ୍ଲା ଗୁନ୍ଟାଲା ଗାଁ ବୋଲି ଜଣା ପଡିଛି । ସେହିପରି କୋରାପୁଟ ନାରାୟଣ ପାଟଣାର ଯୁବକ ସନ୍ତୁ ନାଚିକବା ମଧ୍ୟ ଏରିଆ କମିଟି ସଦସ୍ୟ ଭାବେ ସକ୍ରିୟ ରହିବା ସହ ଟପ ମାଓନେତା ଉଦୟଙ୍କ ଅଙ୍ଗରକ୍ଷୀ ଦାୟିତ୍ୱ ତୁଲାଉ ଥିଲେ । ଯାହା ପ୍ରମାଣିତ କରୁଛି ମାଓ ନେତା ଉଦୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେହିପରି ୩ ଜଣ ମହିଳା ମାଓବାଦୀ ମଧ୍ୟ ପ୍ରାଣ ହରାଇଛନ୍ତି ।