ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ଜୋରଦାର ଚାଲିଛି ପ୍ରଚାର । ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଗାଁରେ ଗାଁରେ ଶିକ୍ଷିତ ପ୍ରାର୍ଥୀ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ କରୁଛନ୍ତି ନାମାଙ୍କନ

112

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ଆଜି ସରିବ । ଏଣୁ ପ୍ରାର୍ଥୀମାନେ ନାମଙ୍କନ ଦାଖଲ ସମୟରେ ପୂର୍ବରୁ ଜାରି ଗାଇଡଲାଇନ ପାଳନ କରିବାକୁ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ହେଲେ ଗତ ୪ଦିନରେ ୧,୩୩,୫୮୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଗୁରୁବାର ରେକର୍ଡ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏପରିକି ୱାର୍ଡ‌ମେମ୍ବର ପଦକୁ ଛାଡ଼ି ବାକି ତିନିଟି ପଦବି ପାଇଁ ତିନି ଦିନରେ ଯେତିକି ପ୍ରାର୍ଥିପତ୍ର ଦାଖଲ କରିଥିଲେ ଆଜି ଗୋଟିଏ ଦିନରେ ତା’ଠାରୁ ଅଧିକ ପ୍ରାର୍ଥିପତ୍ର ଦାଖଲ ହୋଇଛି ।

ପ୍ରାର୍ଥିପତ୍ର ଦାଖଲ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମୁଥିବା ବେଳେ ଶେଷ ଦିନରେ ଅସମ୍ଭାଳ ଭିଡ଼ ହେବାର ଆଶଙ୍କା ଅଛି। ପ୍ରା‌ର୍ଥୀ ଓ ସମର୍ଥକମାନେ କୋଭିଡ ଗାଇଡଲାଇନ୍ ମାନୁନଥିବା ନଜରକୁ ଆସିଥିବାରୁ ଶେଷ ଦିନରେ ଯେପରି ପରିସ୍ଥିତି ଅଣାୟତ୍ତ ନହୁଏ ତାହା ଉପରେ ନଜର ରଖିବା ସହ ଭିଡ଼ ନିୟନ୍ତ୍ରଣ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିସନର ପୁଲିସ ଡିଜିଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି।

ପ୍ରାର୍ଥିପତ୍ର ଆଣିବା ଏବଂ ଦେବା ପ୍ରକ୍ରିୟା ଏକସଙ୍ଗେ ଚାଲିଥିବାରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରବଳ ଭିଡ଼ ହେଉଛି। ଏପରିକି ପ୍ରାର୍ଥୀଙ୍କ ସହ ୫ଜଣ ବିନା ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ଅଧିକାଂଶ ପ୍ରାର୍ଥୀ ଏହାକୁ ମାନୁନାହାନ୍ତି। ପ୍ରାର୍ଥୀମାନେ ଶତାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ‌ କୋଭିଡ କଟକଣା ଉଲ୍ଲଂଘନ ହେଉଥିବା ଜାଣିବା ପରେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ଭିଡ଼ ନିୟନ୍ତ୍ରଣ ସହ କୋଭିଡ-୧୯ ନିର୍ଦ୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ନିମନ୍ତେ ପୁଲିସ ଡିଜିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଗତ ୧୫ତାରିଖରେ ବସିଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକଙ୍କ ବୈଠକରେ ନିର୍ବାଚନ କମିସନର ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ଜଣେ ଡିଏସ୍‌ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ। ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ସହ କୋଭିଡ ନିୟମାବଳୀର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା କାର୍ଯ୍ୟକାରୀ ହେଉନଥିବା କମିସନର ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅପରପକ୍ଷେ ଆଜି ୱାର୍ଡମେମ୍ବର ପାଇଁ ୪୦,୭୩୨ଜଣ, ସରପଞ୍ଚ ପାଇଁ ୮୮୪୨ଜଣ, ପଞ୍ଚାୟତ ସମିତି ପାଇଁ ୭୮୩୨ଜଣ, ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୧୧୮୨ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଚାରି ଦିନରେ ୱାର୍ଡ ମେମ୍ବର ପାଇଁ ୯୫୮୧୪ଜଣ, ସରପଞ୍ଚ ପାଇଁ ୧୭୭୮୯ଜଣ, ସଭିତି ସଭ୍ୟ ପାଇଁ ୧୪୦୩୭ଜଣ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭୩୦ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ୯୧,୯୧୩ ୱାର୍ଡମେମ୍ବର, ୬୭୯୩ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ଏଥର ମତଦାନ ହେବ ।