ଛତିଶଗଡ଼ରୁ ଓଡ଼ିଶା ଆସୁଛି କି ଧାନ? ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି ପରେ ପ୍ରଶ୍ନ ଉଠାଇଲେ ବିରୋଧୀ: କହିଲେ, ଓଡ଼ିଶାରୁ ଛତିଶଗଡ଼ ଯାଏଁ ଧାନ, ଓଡ଼ିଶା ଆସେନି

ଏପଟେ ବିଜେଡି ବିଧାୟକ କହିଲେ, ଓଡ଼ିଶାରେ ବ୍ୟବସ୍ଥିତ ମଣ୍ଡି ବ୍ୟବସ୍ଥା

172

କନକ ବ୍ୟୁରୋ: ଅସାଧୁ ବ୍ୟବସାୟୀଙ୍କୁ ରୋକିବା ପାଇଁ ଛତିଶଗଡ ଧାନ ଉପରେ ରୋକ ଲଗାଇବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାର ଚିଠି ଲେଖିବା ପରେ ରାଜନୀତି ସରଗରମ ହୋଇଛି । ବିରୋଧୀ କହିଛନ୍ତି ଛତିଶଗଡରୁ ଧାନ ଓଡିଶାକୁ ଆସେନାହିଁ । ଏପଟେ ବିଜେଡି ବିଧାୟକ କହିଛନ୍ତି, ଓଡିଶାର ମଣ୍ଡି ବ୍ୟବସ୍ଥିତ ହୋଇଥିବାରୁ ପଡୋଶୀ ରାଜ୍ୟରୁ ଅସାଧୁ ବ୍ୟବସାୟୀ ଆସିପାରନ୍ତି ।

ଓଡ଼ିଶାରେ ଧାନ ବିକ୍ରି କରନ୍ତି କି ଛତିଶଗଡ଼ ଚାଷୀ? ଅସାଧୁ ଧାନ ବ୍ୟବସାୟୀ ମାଡ଼ି ଆସୁଛନ୍ତି କି ଓଡ଼ିଶା? ଏଭଳି ପ୍ରଶ୍ନ ଏଇଥି ପାଇଁ ଉଠୁଛି, କାରଣ ଛତିଶଗଡ଼ ଧାନକୁ ଓଡ଼ିଶାରେ ବିକ୍ରି ରୋକିବାକୁ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର । ଏହି ଚିଠିରେ କୁହାଯାଇଛି-ଛତିଶଗଡରୁ ବେଆଇନ ଭାବେ ଯେମିତି ଖାଦ୍ୟଶସ୍ୟ ଓଡିଶାକୁ ନଆସେ ସେଥିପାଇଁ କଡା ନଜର ରଖାଯାଉ । ସେହିପରି ଏହି ୮ଟି ଜିଲ୍ଲା ବରଗଡ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ ଓ ନବରଙ୍ଗପୁରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛତିଶଗଡରୁ ଖାଦ୍ୟଶସ୍ୟ ଚାଲାଣ ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସରକାରଙ୍କ ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ବଡ଼ କଥା ହେଉଛି- ଛତିଶଗଡ଼ରୁ ଧାନ ଓଡ଼ିଶା ଆସିବା ବଦଳରେ, ଓଡ଼ିଶାର ଛତିଶଗଡ଼ ଧାନ ଯିବାର ଯଥେଷ୍ଟ କାରଣ ରହିଛି । କାରଣ, ଛତିଶଗଡ଼ରେ ସର୍ବନିମ୍ନ ମୂଲ୍ୟ ବାହାରେ ଚାଷୀଙ୍କ ବୋନସ୍ ମିଳୁଥିବା ବିରୋଧୀ କହିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଓଲଟା କଥା କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ଏପଟେ ବିଜେଡି ବିଧାୟକ କହିଛନ୍ତି- ଓଡ଼ିଶାରେ ମଣ୍ଡି ବ୍ୟବସ୍ଥା ବ୍ୟବସ୍ଥିତ ହୋଇଥିବାରୁ ପଡ଼ୋଶୀ ରାଜ୍ୟରୁ ଧାନ ଆସିବାର ସନ୍ଦେହ କରାଯାଉଛି ।

ରାଜନୀତିର ଏହି ଛକାପଞ୍ଝା ଭିତରେ, କାଁଭାଁ କିଛି ସ୍ଥାନରେ ଟୋକନ୍ ସମସ୍ୟାକୁ ଛାଛି ଦେଲେ ଓଡ଼ିଶାରେଧାନ ସଂଗ୍ରହ ପ୍ରକ୍ରିୟା ସ୍ୱାଭାବିକ୍ ଚାଲିଛି ।