ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ଆଜି ଠାରୁ ନାମାଙ୍କନ କରିପାରିବେ ପ୍ରାର୍ଥୀ ; ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ

ପ୍ରତ୍ୟାହାର ଶେଷ ଦିନ ଏପ୍ରିଲ ୩ 

129

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଆଜି ଠାରୁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ମାର୍ଚ୍ଚ  ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନ ଏପ୍ରିଲ ୩ ରହିଛି । ଏପ୍ରିଲ ୧୭ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ଗତବର୍ଷ ପ୍ରଦୀପ ମହାରଥୀଙ୍କ ପରଲୋକ ପରଠାରୁ ଏହି ଆସନ ଖାଲି ପଡିଛି ।

ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ । ସବୁଠାରୁ ବଡ଼କଥା ହେଲା କି, ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ  ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି । ନିର୍ବାଚନରେ ସଂଶ୍ଳିଷ୍ଟ ଥିବା ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ । ସମସ୍ତଙ୍କୁ ଠିକ୍ ସମୟରେ ଟୀକାକରଣ ମଧ୍ୟ କରାଯିବ । ପ୍ରଚାର ବେଳେ ବେଶି ସଂଖ୍ୟାରେ ଗାଡ଼ି ବ୍ୟବହାର କରିପାରିବେ କିନ୍ତୁ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ । ପୂର୍ବ ଉପନିର୍ବାଚନ ଭଳି ସାମାଜିକ ଦୂରତା, କରୋନା ନିୟମ ପାଳନ ହେବ।