ଓଡ଼ିଶା ନିର୍ମାଣ କନକ୍ଲେଭରେ ସାଂସଦ ବରୁଣ ଗାନ୍ଧୀ ! ଉଠାଇଲେ ମହିଳା ସଂରକ୍ଷଣ ପ୍ରସଙ୍ଗ, ଓଡ଼ିଶା ନିର୍ମାଣ ନେଇ ରଖିଲେ ମତ ।

96

କନକ ବ୍ୟୁରୋ: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନେଇ କନକ୍ଲେଭରେ ମତ ରଖିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ବରୁଣ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ମହିଳା ସଂରକ୍ଷଣ ନେଇ ବିଭିନ୍ନ ଦଳ ସ୍ୱର ଉଠାଉଛନ୍ତି । କିନ୍ତୁ ପ୍ରକୃତରେ ଆମ ଦେଶରେ ଏବେ ବି ମହିଳାମାନଙ୍କ ଜରିଆରେ ତାଙ୍କ ସ୍ୱାମୀମାନେ ରାଜନୀତିରେ ପାଦ ଦେଉଛନ୍ତି । ମୂଳ କଥା ହେଲା ଏବେ ବି ଅନେକ ପଞ୍ଚାୟତରେ ମହିଳା ସରପଞ୍ଚ ମାନଙ୍କ ସ୍ଥାନରେ ତାଙ୍କର ସ୍ୱାମୀମାନେ କ୍ଷମତା ସମ୍ଭାଳୁଛନ୍ତି । ତେଣୁ ଏହା କିଭଳି ସଂରକ୍ଷଣ ବୁଝାଏ ତାକୁ ନେଇ ପ୍ରଶ୍ନ ଉଠୁଛି ।

ସାଂସଦ ବରୁଣ ଗାନ୍ଧୀଙ୍କ କହିବା ମୁତାବକ, ପ୍ରଥମେ ଦେଶର ସମସ୍ତ ପଞ୍ଚାୟତ ବା ତୃଣମୂଳ ସ୍ତରରେ ମହିଳାଙ୍କ ହାତରେ ଶାନର ଡୋରୀ ଦେବା ଆବଶ୍ୟକ । ଏହାଦ୍ୱାରା ପଞ୍ଚାୟତରେ ଜଣେ ମହିଳା ପ୍ରତିନିଧି ନିଜେ କ୍ଷମତା ଡ଼ୋରୀ ସମ୍ଭାଳିବା ଦରକାର । ଆଉ ଖାସ୍ କରି ଦେଶରେ ଯେଉଁ ‘ପ୍ରଧାନପତି’ ପ୍ରଥା ରହିଛି ତାକୁ ହଟାଇବା ଦରକାର ଏବଂ ମହିଳାମାନଙ୍କୁ ପ୍ରତି ପଞ୍ଚାୟତରୁ ହିଁ ପ୍ରଥମେ କ୍ଷମତା ସମ୍ଭାଳିବା ପାଇଁ ଦିଆଯିବା ଦରକାର । ଯାହାଦ୍ୱାରା ପଞ୍ଚାୟତରୁ ବ୍ଲକ ଓ ପରେ ଏହା ଜିଲ୍ଲା ଓ ରାଜ୍ୟରୁ ଦେଶକୁ ସମ୍ଭାଳିବା ପାଇଁ ସକ୍ଷମ ହେବେ । ଏହା ହିଁ ସମ୍ପୂର୍ଣ୍ଣ ଭାରତ ନିର୍ମାଣ କରିବାର ସହାୟକ ହେବ ବୋଲି ମତ ରଖିଛନ୍ତି ବରୁଣ ଗାନ୍ଧୀ ।

ସେହିପରି ଦେଶର ଆଶାନୁରୂପ ବିକାଶ ନହେବା ପାଇଁ ସମସ୍ତେ ଦାୟୀ । କାରଣ ଯଦି ତୃଣମୂଳ ସ୍ତରରେ ଏକ ଦୁର୍ନୀତି ସିଷ୍ଟମ ଚାଲିଛି । ଯଦି ଏହି ସିଷ୍ଟମ ସଂସ୍ପର୍ଶରେ ଏକ ଭଲ ଲୋକ ଆସିଯାଏ ସେ ମଧ୍ୟ ଖରାପ ହୋଇଯାଏ । ତେଣୁ ଏହାକୁ ଧ୍ୟାନ ଦେବା ଦରକାର । ମୁଖ୍ୟତଃ ଯୁବ ଶକ୍ତିକୁ ଗୁରୁତ୍ୱ ଦେଇ ସମସ୍ତେ ଏକ ପାଦ ଆଗକୁ ଆସିବା ଦରକାର ।

କେବଳ ଭାରତୀୟ କ୍ରିକେଟ୍ ମ୍ୟାଚ ଦେଖି ଷ୍ଟାଡ଼ିୟମରେ ତାଳି ମାରିଲେ କିମ୍ବା କେସଣସି ଦେଶତ୍ମକବୋଧକ ଫିଲ୍ମ ଦେଖି ଖୁସି ହୋଇଗଲେ ଦେଶର ବିକାଶ ହେବ ନାହିଁ । ଏକ ସମ୍ପୂର୍ଣ୍ଣ ଭାରତ ଗଢ଼ିବାକୁ ହେଲେ ପ୍ରଥମେ ପରିବେଶ ତଥା ପ୍ରକୃତିକୁ ଧ୍ୟାନ ଦେଇ ତାକୁ ସୁସ୍ଥ ରଖିବା । ଏବଂ ସର୍ବଦା ସମସ୍ତ ଦେଶର ବିକାଶ ପାଇଁ ଏକ ପାଦ ଆଗକୁ ଆସିବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ବରୁଣ ଗାନ୍ଧୀ ।