ମାନବିକତା ଦେଖାଇଲା ‘ଓଡିଶା ମୋ ପରିବାର’, ଛତିଶଗଡର ଅନାଥ ଯୁବକଙ୍କ ଶବକୁ କାନ୍ଧଦେବା ସହ ଅନ୍ତିମ ସଂସ୍କାରରେ କଲା ସାହାଯ୍ୟ

84

କନକ ବ୍ୟୁରୋ :  ଛତିଶଗଡ଼ର ୨୪ବର୍ଷିୟ ପଞ୍ଜାବୀ ଯୁବକ ସତପ୍ରିତ ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାହାଯ୍ୟ ଯୋଗାଇଛି ଓଡ଼ିଶା-ମୋ ପରିବାର।  ସୂଚନାନୁସାରେ, ସତପ୍ରୀତ ପ୍ରାୟ ୮ଦିନ ପୂର୍ବରୁ ନିଜ ଘରୁ ନିଖୋଜ ଥିଲେ । ଗତ ତିନିଦିନ ତଳେ, ଭୁବନେଶ୍ୱରସ୍ଥିତ ବାପୁ ଗେଷ୍ଟ ହାଉସ ଠାରେ ତାଙ୍କର ଅସ୍ଵାଭାବିକ ମୃତ୍ୟ ଘଟିଥିଲା। ସେ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବାରୁ ପ୍ରଥମେ ତାଙ୍କ ମୃତ ଶରୀର ଟି ଚିହ୍ନଟ ହୋଇପାରିନଥିଲା ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶା ପୋଲିସ, ବିଭିନ୍ନ ଛାନଭିନ୍ କରି ତାଙ୍କ ପ୍ରକୃତ ପରିଚୟ ଓ ପରିବାର ସଦସ୍ୟ ଙ୍କୁ ଚିହ୍ନଟ କରି ଛତିଶଗଡ ପୋଲିସ ଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଦୁର୍ଭାଗ୍ୟବଶତଃ, କିଛିଦିନ ତଳେ ସତପ୍ରୀତଙ୍କ ପିତାମାତା ଙ୍କ ମୃତ୍ୟୁ ହୋଇଯାଇଥିଲା । ପରିବାରରେ, ତାଙ୍କ ଭଉଣୀ ଭିଣୋଇ ତଥା ଅନ୍ୟ ସଦସ୍ୟମାନେ ହଠାତ୍ ସତପ୍ରୀତଙ୍କ ମୃତ୍ୟୁ ଖବର ପାଇ ସଙ୍ଗେସଙ୍ଗେ ଓଡ଼ିଶା ଆସି ପହଞ୍ଚିଥିଲେ।

ଏହା ମଧ୍ୟରେ ସହିଦ ନଗର ପୋଲିସ,ତାଙ୍କ ଶବ ଅନ୍ତିମ ସଂସ୍କାର କାର୍ୟ୍ୟ ନିମନ୍ତେ ଶ୍ମଶାନକୁ ସ୍ଥାନାନ୍ତର ପାଇଁ ଓଡ଼ିଶା ମୋ ପରିବାର ସହ ଯୋଗାଯୋଗ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଅତ୍ୟନ୍ତ ତତ୍ପରତା ସହିତ ଜୟ ଓଡ଼ିଶାର ଶେଷସାଥି ଭ୍ୟାନ ମାଧ୍ୟମରେ ଶବକୁ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ। ତାଙ୍କ ପରିବାର ସଦସ୍ୟ ମାନଙ୍କ ସମେତ ଶ୍ରୀ ସାମନ୍ତରାୟ ଓ ଓଡ଼ିଶା ମୋ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ୟ୍ୟ ପରିଚାଳନା କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କୁ ସାନ୍ତ୍ଵନା ଦେଇ ସତପ୍ରିତ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।