ଏମିତି ଆମ ମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ! ମନ୍ତ୍ରୀ ସୂର୍ଯ୍ୟପାତ୍ର ରାସ୍ତାରେ ପରିସ୍ରା କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ, ସ୍ୱଚ୍ଛ ଭାରତ ପାଇଁ ଆବଶ୍ୟକ ଭିତିଭୂମିକୁ ନେଇ ଉଠିଲା ପ୍ରଶ୍ନ

61

କନକ ବ୍ୟୁରୋ : ଚର୍ଚ୍ଚାରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ସ୍ୱଚ୍ଛ ଭାରତ । ଏଭଳି ଶୁଣିବା ପରେ ଆପଣଙ୍କର ଧାରଣା ହେଉଥିବ ଯେ, ମନ୍ତ୍ରୀ ହୁଏତ ସ୍ୱଚ୍ଛତା କ୍ଷେତ୍ରରେ କିଛି ବଡ ପଦକ୍ଷେପ ନେଇଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ମନ୍ତ୍ରୀଙ୍କର ଘୁରି ବୁଲୁଥିବା କିଛି ଫଟୋ ଠିକ ଏହାର ବିପରୀତ କଥା ବୟାନ କରୁଛି । କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ପରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମଧ୍ୟ ରାସ୍ତାକଡରେ ପରିଶ୍ରା କରୁଛନ୍ତି । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନର ବିପରିତ ବୋଲି ଚର୍ଚ୍ଚା ହେଉଛି ।

allwyn_290617_swa1ଦିଲ୍ଲୀର ଲାଲ କିଲ୍ଲାରେ ସାରା ଦେଶକୁ ୨୦୧୯ ସୁଦ୍ଧା ସଂପୂର୍ଣ୍ଣ ସ୍ୱଚ୍ଛ କରିବା ଲାଗି ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାର ପ୍ରଥମ ଲକ୍ଷ୍ୟ ଥିଲା ଖୋଲାରେ ମଳ, ମୂତ୍ର ତ୍ୟାଗକୁ ସଂପୂର୍ଣ୍ଣ ବନ୍ଦ କରିବା । ହେଲେ ଏ ହେଉଛି ସୋସିଆଲ ମିଡିଆରେ ଘୁରିବୁଲୁଥିବା ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଫଟୋ । ଯେଉଁଥିରେ ରାସ୍ତା କଡରେ ଗାଡି ଠିଆ କରି ଅଳ୍ପଦୂରରେ ପରିଶ୍ରା କରୁଛନ୍ତି ମନ୍ତ୍ରୀ । ଦେଶକୁ ସ୍ୱଚ୍ଛ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟମ ଭିତରେ ମନ୍ତ୍ରୀଙ୍କ ଏହି ଫଟୋ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ରାସ୍ତାରେ ଗଲାବେଳେ କାହାରିକୁ ପରିଶ୍ରା ଲାଗିଲେ ସେ ମନ୍ତ୍ରୀ ହୁଅନ୍ତୁ ବା ଆଉକେହି ସ୍ୱାଭାବିକ ଭାବେ କଣ କରିବେ ? ଯଦି ଆଖପାଖରେ ସୁଲଭ ସୌଚାଳୟଟିଏ ନଥିବ ତାହାହେଲେ ଏମିତି ରାସ୍ତାକଡରେ ପରିଶ୍ରା କରିବାକୁ ପଡିବ । ତେଣୁ ଆମେ ସ୍ୱଚ୍ଛ ଭାରତ କଥା କହିଲାବେଳେ ପର୍ଯ୍ୟାପ୍ତ ପବ୍ଲିକ ଟଏଲଟ କଥା ପ୍ରଥମେ ଚିନ୍ତା କରିବାକୁ ପଡିବ ।

ନିକଟରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଏଭଳି ଏକ ଫଟୋକୁ ନେଇ ପ୍ରବଳ ସମାଲୋଚନା ହୋଇଥିଲା । ବିହାରରେ ନିଜ ନିର୍ବାଚନୀ କ୍ଷେତ୍ର ଗସ୍ତ କଲାବେଳେ ରାସ୍ତାକଡରେ ଗାଡି ରଖି ପାଖରେ ପରିଶ୍ରା କରୁଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ମନ୍ତ୍ରୀଙ୍କୁ ଜଗି ରହିଥିଲେ ତାଙ୍କ ସୁରକ୍ଷା କର୍ମୀ । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ସଫେଇ ଦାବି କରିଥିଲେ ବିରୋଧୀ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ କଥା କହୁଥିବାବେଳେ ତାଙ୍କ ମନ୍ତ୍ରୀ ଏହାର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ବାଢିଥିଲେ । ଏବେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଫଟୋକୁ ନେଇ ବି ସ୍ୱଚ୍ଛତା ମିଶନର କଥା ଉଠିଛି ।