ଆଜି ବସିବ ବୈଠକ, ନିର୍ଦ୍ଧାରିତ ହେବ ଜୋରିମାନା ! କେଉଁ ମୋଡାଲିଟି ଆଧାରରେ କେତେ ଆଦାୟ ହେବ ନିଆଯିବ ନିଷ୍ପତ୍ତି

24

କନକ ବ୍ୟୁରୋ: କେଉଁ ଖଣି ମାଲିକଠାରୁ କେତେ ଜୋରିମାନା ଆଦାୟ ହେବ ସେ ନେଇ ଆଜି ସଚିବାଳୟରେ ବସିବ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏହି ବୈଠକ ବସିବ । ଖଣି ଦୁର୍ନୀତିରେ ସମ୍ପୃକ୍ତ ଥିବା ଖଣି ମାଲିକଙ୍କଠାରୁ ଶତ ପ୍ରତିଶତ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ କାହାଠାରୁ କେତେ ଜୋରିମାନା ଆଦାୟ ହେବ ଏବଂ କେଉଁ ଆଧାରରେ ଆଦାୟ ହେବ ସେ ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯିବ । ଖଣି ଅଂଚଳରେ କଣ କାମ କରାଯାଇଛି ସେ ନେଇ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ତାହା ମଧ୍ୟ ସେପ୍ଟେମ୍ବର ସୁଦ୍ଧା ଦାଖଲ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ।

ସୂଚନା ମୁତାବକ, ଓଡିଶା ଖଣି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କିଛି ଦିନ ତଳେ ରାୟ ଆସିଥିଲା । ବର୍ତ୍ତମାନ ପରିସ୍ଥିତିରେ ସିବିଆଇ ତଦନ୍ତ କରାଇବାକୁ ସୁପ୍ରିମକୋର୍ଟ ମନାକରିଛନ୍ତି । ତେବେ ବେଆଇନ ଖଣି ଉତ୍ତୋଳନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଫାଇନ୍ ଲଗାଇଛନ୍ତି ।

ପରିବେଶ ମଞ୍ଜୁରୀ ପାଇନଥିବା ଖଣିରୁ ହୋଇଥିବା ବେଆଇନ ଉତ୍ତୋଳନ ଉପରେ ଜୋରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ବାବଦରେ ରାଜ୍ୟ ସରକାର ଶତ ପ୍ରତିଶତ ଜୋରିମାନା ଲଗାଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଏହାଛଡା ପରିବେଶ ମଞ୍ଜୁରୀ ପାଇଥିବା ଖଣିରୁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଉତ୍ତୋଳନ ଉପରେ ମଧ୍ୟ ଜୋରିମାନା ଲାଗିଛି । ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ଜିନ୍ଦଲ ଷ୍ଟିଲ, ଶାରଦା ମାଇନିଂ ଓ ଏସଏଲ ତରଫରୁ ଖଣି ଖୋଲିବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ହେବ । ଜାତୀୟ ଖଣି ନୀତି ବଦଳିବା ଦରକାର ବୋଲି ମତ ଦେଇଛନ୍ତି ସୁପ୍ରିମକୋର୍ଟ ।