ଓଡିଆ ଯୁବକଙ୍କ କରୋନା କାହାଣୀ: ମହାରାଷ୍ଟ୍ରରୁ ୧୭ଶହ କିଲୋମିଟର ସାଇକେଲରେ ଆସିଲେ ଯାଜପୁର; ସଂଘରୋଧରେ ରହିଲେ ୧୪ ଦିନ

1,233

କନକ ବ୍ୟୁରୋ: ୧୭ଶହ କିଲୋମିଟର ସାଇକେଲରେ ଯାତ୍ରା କରି ମହାରାଷ୍ଟ୍ରରୁ ଯାଜପୁର ପହଂଚିଲେ ୨୦ବର୍ଷୀୟ ଶ୍ରମିକ ମହେଶ ଜେନା । ସାରା ଦେଶରେ ତାଲା ବନ୍ଦ ହେବା ପରେ ଆଉ କୌଣସି ଉପାୟ ନପାଇ ନିଜ ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ ମହେଶ । ମହାରାଷ୍ଟ୍ର ସାଙ୍ଗଲିରୁ ଏପ୍ରିଲ ୧ତାରିଖରେ ନିଜ ଯାତ୍ରା ଆରମ୍ଭ କରି ଏପ୍ରିଲ ୭ତାରିଖରେ ଯାଜପୁର ରୋଡରେ ପହଂଚିଥିଲେ । ହାତରେ ଟଙ୍କା ନଥିବା ବେଳେ ୩ହଜାର ଟଙ୍କା ହାତ ଉଧାରି କରି ସାଇକେଲ ଯାତ୍ରାରେ ବାହାରି ଯାଇଥିଲେ । ଯାଜପୁର ରୋଡରେ ନିଜେ କ୍ୱାରେଂଟାଇନ ହୋମକୁ ଯାଇ ରେଜିଷ୍ଟ୍ରେସନ କରି ସେଠାରେ କ୍ୱାରେଂଟାଇନରେ ରହିଥିଲେ ।

 

ତେବେ ୧୭ଶହ କିଲୋମିଟର ବାଟ ଅତିକ୍ରମ କରିବା ସହଜ ନଥିଲା । ଯାତ୍ରାର ୭ଦିନ ସମୟ ଭିତରେ ସାଇକେଲରେ ନୂଆ ଟାୟାର ମଧ୍ୟ ବଦଳାଇବାକୁ ପଡିଥିଲା । ଏବଂ ରାସ୍ତାରେ ଖାଇବାକୁ ମଧ୍ୟ ପର୍ଯ୍ୟାପ୍ତ ମିଳୁନଥିଲା । ତେବେ ଯେତେବେଳେ ଯାହା ମିଳୁଥିଲା ତାକୁ ଖାଇ ଆଉ କିଛି ନିଜ ପାଖରେ ରଖିଦେଉଥିଲେ ମହେଶ । ଏବଂ ରାସ୍ତାରେ କୌଣସି ମନ୍ଦିରରେ ରାତି କାଟୁଥିଲେ । ତେବେ ମହାରାଷ୍ଟ୍ର ସାଙ୍ଗଲିରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହାର ରୁଟ୍ ମ୍ୟାପ ପ୍ରସ୍ତୁତ କରିଥିଲେ ମହେଶ । ଏବଂ ଏହାକୁ ଭିତି ଆସି ନିଜ ଘରେ ପହଂଚିଛନ୍ତି ।