ଲେମ୍ବୁ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର, ବିଧାନସଭାରେ କୃଷିମନ୍ତ୍ରୀ କହିବା ପରେ ଜୋରଦାର ଚର୍ଚ୍ଚା

155

କନକ ବ୍ୟୁରୋ: ଲେମ୍ବୁ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ ବୋଲି ବିଧାନସଭାରେ କୃଷିମନ୍ତ୍ରୀ ଉତର ରଖିବା ପରେ ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ହେଉଛି । ଏବେ ବଜାରରେ ଲେମ୍ବୁ ଗୋଟିକୁ ୫ରୁ ୭ ଟଙ୍କା ହୋଇଥିବା ବେଳେ ଓଡ଼ିଶା କେମିତି ନମ୍ବର ୱାନ ବୋଲି ମନ୍ତ୍ରୀ ଅରୁଣ ସାହୁଙ୍କ ଗଣିତ ବୁଝି ପାରୁନାହାନ୍ତି ସାଧାରଣ ଲୋକ ।

ନ୍ୟାସନାଲ ହଟିକଲଚର ବୋର୍ଡର ୨୦୧୭-୧୮ ମସିହା ତଥ୍ୟ ଅନୁସାରେ –
ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ହୁଏ ସର୍ବାଧିକ ଲେମ୍ବୁ ଉତ୍ପାଦନ ଅର୍ଥାତ ଯେଉଁ ଲେମ୍ବୁ ଓଡ଼ିଶାରେ ଅଧିକ ବ୍ୟବହୃତ ହୁଏ, ସେହି ଲେମ୍ବୁ ପାଇଁ ଅନ୍ୟ ରାଜ୍ୟ ଉପରେ ଆମେ ଏବେ ବି ନିର୍ଭରଶୀଳ । ତେଣୁ ବିଧାନସଭାରେ ମନ୍ତ୍ରୀଙ୍କ ଉତର ପରେ କାଗେଜି ଲେମ୍ବୁ ଓ ଲେମ୍ବୁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ବଜାରରେ ଏବେ ଅମୂଲ ମୂଲ ହୋଇଛି ଲେମ୍ବୁ ।

ଲେମ୍ବୁ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ୍ ବୋଲି ମନ୍ତ୍ରୀ କହିବା ପରେ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଏ ପଚାରିଛନ୍ତି, ଓଡ଼ିଶାର କେଉଁ କେଉଁ ଫାର୍ମରେ ଉତ୍ପାଦନ ହେଉଛି ଲେମ୍ବୁ, କେଉଁଠିକୁ ରପ୍ତାନୀ କରାଯାଉଛି । କିଏ କିଏ କହିଛନ୍ତି, ଯଦି ଓଡ଼ିଶା ନମ୍ବର ୱାନ, ତେବେ କାହିଁକି ଚଢ଼ା ଦାମରେ ବିକ୍ରି ହେଉଛି ।