କନକ ବ୍ୟୁରୋ : ଅତିଥିଙ୍କୁ ସମ୍ମାନ ଓ ସୁରକ୍ଷା ଦେବା, ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା । ଯାହାକୁ ସାବ୍ୟସ୍ତ କରିଛି ଓଡ଼ିଶା ମୋ ପରିବାର । ଓଡ଼ିଶା ମୋ ପରିବାର କେବଳ ଓଡ଼ିଶାବାସୀଙ୍କ ସେବାରେ  ନିଜକୁ  ସୀମିତ ରଖି ନାହିଁ ବରଂ ଓଡ଼ିଶା ମାଟିରେ ଅତିଥି ହୋଇଥିବା ବାହାର ରାଜ୍ୟର ଲୋକମାନଙ୍କ ଅସୁବିଧାରେ ଛିଡ଼ା ହୋଇଛି । ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଉତ୍ତରପ୍ରଦେଶର ବାସିନ୍ଦା ରଜତ ଉପଧାୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ   କରିଥିବା ତାଙ୍କ ବାପାଙ୍କ ଚିକିତ୍ସା ଖର୍ଚ୍ଚ ମୁକ୍ତ କରି ହସ୍ପିଟାଲରୁ ଶବ ମୁକୁଳାଇଛି ଓଡ଼ିଶା ମୋ ପରିବାର ।
ଘଟଣାଟି ଏମିତି, ଉତ୍ତରପ୍ରଦେଶର ୫୩ ବର୍ଷିୟ ବାସିନ୍ଦା ରାମାନୁଜ ଉପାଧାୟ,ବାଲେଶ୍ଵରସ୍ଥିତ ବିର୍ଲା କମ୍ପାନୀରେ କାମ କରୁଥିଲେ । ତାଙ୍କ ପୁଅ ରଜତ ଭୁବନେଶ୍ଵରର ଏକ ବେକେରି ସପ୍ ରେ କାମ କରନ୍ତି । ହଠାତ୍, ରାମାନୁଜଙ୍କ କିଡ଼ନୀ ଖରାପ ହେବାରୁ ସେ ଭୁବନେଶ୍ଵରସ୍ଥିତ ହାଇ-ଟେକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ, ସେ ଚିକିତ୍ସାଧୀନ ଅବସ୍ଥାରେ ଗତ ଅଗଷ୍ଟ ୭ ତାରିଖରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ହସ୍ପିଟାଲର ବିଲ୍ ଲକ୍ଷାଧିକ ଟଙ୍କା ହୋଇଥିବାରୁ ରାମାନୁଜଙ୍କ ପୁଅ ଏହା ପୈଠ କରିବାକୁ ଅସମର୍ଥ ଥିଲେ, ଫଳରେ ବାପାଙ୍କ ଶବକୁ ମୁକୁଳାଇପାରିନଥିଲେ ।

Advertisment

ଓଡ଼ିଶା ମୋ ପରିବାର ଏ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପଦକ୍ଷେପ ନେଇଥିଲା । ଓଡ଼ିଶା ମୋ ପରିବାରର ଆବାହକ ନିଜେ ହସ୍ପିଟାଲରେ ପହଞ୍ଚି ଏହି ପ୍ରବାସୀ ପରିବାରକୁ ଦେୟମୁକ୍ତ କରିବା ପାଇଁ ହସ୍ପିଟାଲର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଓ ହାଇ-ଟେକ ହସ୍ପିଟାଲ ଶେଷରେ ମହାନତାର ପରିଚୟ ଦେଲା । ହସ୍ପିଟାଲର କର୍ତ୍ତୁପକ୍ଷ ରାମାନୁଜଙ୍କ ପରିବାର ବର୍ଗଙ୍କୁ ଦେୟ ଛାଡ଼ କରିଥିଲେ । ପରିଶେଷରେ, ଓଡ଼ିଶା ମୋ ପରିବାର ରାମାନୁଜଙ୍କ ମୃତଶରୀର ହସ୍ପିଟାଲରୁ ମୁକୁଳାଇ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲା ।

ଏଭଳି ଅସମୟରେ ଓଡ଼ିଶା ମୋ ପରିବାର ପ୍ରବାସୀ ରଜତଙ୍କ ପରିବାର ସହିତ ଛିଡ଼ା ହୋଇଥିବାରୁ ପରିବାରବର୍ଗ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।