ଓଡିଶାରେ ଏଚ୍୩ଏନ୍୨ ସଂକ୍ରମିତ । ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ସତର୍କ ରହିବାକୁ ଦେଲା ପରାମର୍ଶ ।

205

କନକ ବ୍ୟୁରୋ: ଓଡ଼ିଶାରେ ଏଚ୍୩ଏନ୍୨ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା ଓ ପ୍ରଚୁର ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ୍ ଭଳି ଇନଫ୍ଲୁଏଞ୍ଜା ସଂକ୍ରମଣ ନେଇ ଗାଇଡଲାଇନ୍ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟରେ ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ଘଣ୍ଟି ବାଜିଛି । ଥଣ୍ଡା, କାଶ ଓ ଜ୍ୱରରେ ଅନେକ ଆକ୍ରାନ୍ତ ହୋଇଥିବା ବେଳେ ଏହା ଉପରେ କିପରି ବ୍ରେକ ଲାଗିବ ଏନେଇ ଚିନ୍ତା ବଢ଼ିଛି ।

ସତର୍କ ରହିବାକୁ ପରାମର୍ଶ

  • ଇନଫ୍ଲୁଏଞ୍ଜା ହେଉଛି ଏକ ସାଧାରଣ ଋତୁକାଳୀନ ଭୂତାଣୁ ସଂକ୍ରମଣ
  • ଏଚ୍୧ଏନ୍୧ ଓ ଏଚ୍୩ଏନ୍୨ ହେଉଛି ‘ଇନଫ୍ଲୁଏଞ୍ଜା-ଏ’ର ଉପପ୍ରଜାତି
  • ଆକ୍ରାନ୍ତଙ୍କ ଠାରେ ଜ୍ୱର, ଥଣ୍ଡା, କାଶ, ନାକରୁ ପାଣି ବୋହିବା ଭଳି ଲକ୍ଷଣ ଦେଖାଯାଏ
  • ବିଭିନ୍ନ ରୋଗରେ ପୀଡ଼ିତ ଓ ବୃଦ୍ଧବୃଦ୍ଧାଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ ଜଟିଳତା ସୃଷ୍ଟି କରିପାରେ
  • ଭୂତାଣୁରେ ୯୦ ପ୍ରତିଶତ ସଂକ୍ରମିତ ଆପେ ଆପେ ସୁସ୍ଥ ହୋଇଥାନ୍ତି
  • ୧୦ ପ୍ରତିଶତଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ ଅସୁବିଧା ହୋଇପାରେ
  • କାଶ ଓ କଫ ନକମିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ
  • ଡିସେମ୍ବରରୁ ମାର୍ଚ୍ଚ ଭିତରେ ଭୂତାଣୁର ସଂକ୍ରମଣ ଅଧିକ ଥାଏ
  • ରାଜ୍ୟର ୩୦ ଡିପିଏଚ୍ଏଲ୍ରେ କ୍ରମାଗତ ଭାବେ ଭୂତାଣୁ ଉପରେ ପରୀକ୍ଷା କରାଯାଉଛି
  • ରାଜ୍ୟର ୨୩ ଆରଟିପିସିଆର ଲ୍ୟାବରେ ମଧ୍ୟ ପରୀକ୍ଷା କରାଯାଉଛି
  • ଲକ୍ଷଣ ଦେଖାଦେଲେ ମାସ୍କ ପିନ୍ଧିବା ଓ କରୋନା ନିୟମ ପାଳନ କରିବା ଆବଶ୍ୟକ

ଦେଶର ବିଭିନ୍ନ ରାଜ୍ୟରେ ଏଚ୩ଏନ୨ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ସତର୍କ ରହିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛି କେନ୍ଦ୍ର । ମୁକାବିଲା କରିବା ପାଇଁ କୋଭିଡ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ କୁହାଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ମେଡିକାଲ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ମହଜୁଦ ରଖିବାକୁ କୁହାଯାଇଛି । ଏହା ଋତୁକାଳୀନ ଇନଫ୍ଲୁଏଞ୍ଜା ଓ ଚଳିତ ମାସ ଶେଷ ସୁଦ୍ଧା ହ୍ରାସ ପାଇବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, କାଶ ବା ଛିଙ୍କ ହେଲେ ଟିସୁ କିମ୍ବା କହୁଣୀରେ ମୁହଁକୁ ଢାଙ୍କିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କରୋନା ଭଳି ମାର୍ଗଦର୍ଶିକା ଜାରି କରି ସ୍ଥିତି ଉପରେ ରାଜ୍ୟ ଓ ଜିଲ୍ଲାସ୍ତରରେ ନଜର ରଖିବାକୁ ପରାମର୍ଶ ଦେଇଛି କେନ୍ଦ୍ର ।