ହୀରାକୁଦ ହେବ ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରବେଶ ପଥ : ଜଳଭଣ୍ଡାରରେ ଚାଲିବ ଭାସମାନ ରେଷ୍ଟୁରାଣ୍ଟ

288

କନକ ବ୍ୟୁରୋ : ହୀରାକୁଦ ହେବ ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରବେଶ ପଥ । ହୀରାକୁଦରେ ନୌକାବିହାର ହେବ, ଚାଲିବ କ୍ରୁଜ୍ ବୋଟ୍ । ସମ୍ବଲପୁର ଗସ୍ତ କରି ଏପରି କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ହୀରାକୁଦ ବୋଟିଂ କ୍ଲବ, ଦେବ୍ରିଗଡ଼ ଅଭୟାରଣ୍ୟ, ବାହୁଡ଼ି ଦ୍ୱୀପ ଆଦି ସ୍ଥାନ ବୁଲି ଦେଖିବା ସହ ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ଠାରେ ନିର୍ମାଣଧୀନ ପ୍ରେକ୍ଷାଳୟ ଓ ରାଣୀ ବଖରୀ ଓ ଭିକ୍ଟୋରିଆ ମେମୋରିଆଲ୍ ହଲର କ୍ଷେତ୍ର ପରିଦର୍ଶନ କରିଛନ୍ତି ଅସିତ୍ ତ୍ରିପାଠୀ ।

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନର କିପରି ବିକାଶ କରାଯିବ, ଏ ନେଇ ହୋଟେଲ ମାଲିକ, ଟୁର୍ ଅପରେଟର ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ସଂସ୍ଥାଗୁଡିକର ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିଛନ୍ତି । ଏହି ଅବସରରେ ଅସିତ ତ୍ରିପାଠୀ କହିଛନ୍ତି , ହୀରାକୁଦ ଜଳଭଣ୍ଡାର ମଧ୍ୟରେ ନୌକାବିହାର କରାଯିବ ଏବଂ କ୍ରୁଜ୍ ବୋଟ ବ୍ୟବସ୍ଥା ରହିବ । ପ୍ରାଥମିକ ପର୍ଯ୍ୟାୟରେ ୩ଟି ବୋଟକୁ ନେଇ ଏହା ଆରମ୍ଭ କରାଯିବ ।

ଡିସେମ୍ବର ସୁଦ୍ଧା ବିଳାସପୂର୍ଣ୍ଣ ବୋଟ, ଭାସମାନ ରେଷ୍ଟ୍ରୁରାଂଟ କାର୍ଯ୍ୟକ୍ଷମ ହେବ ଏବଂ ଜବାହର ମିନାର୍ ନିକଟସ୍ଥ ଅଂଚଳରେ ରିସୋର୍ଟ କରାଯିବା ପାଇଁ ଯୋଜନା ରହିଛି । ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ମାଷ୍ଟର-ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।