ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହଡ଼ପ : ବଞ୍ଚି ଥାଉଥାଉ ୧୧ ଜଣଙ୍କୁ ମାରିଦେଲେ; ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ନେଇଗଲେ ଟଙ୍କା

177

କନକ ବ୍ୟୁରୋ : ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହଡପ । ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ହଡପ କରି ନେବାକୁ ଜୀବିତ ଲୋକଙ୍କୁ ମୃତ ବୋଲି ଦର୍ଶାଇବାକୁ ପଛାଇ ନାହାଁନ୍ତି କିଛି ଅସାଧୁ କର୍ମଚାରୀ । ଅର୍ଥାତ ବଞ୍ଚି ଥାଉ ଥାଉ ମାରି ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଂଟି ପଞ୍ଚାୟତରୁ ଆସିଛି ଏମିତି ସାଂଘାତିକ ତଥ୍ୟ । ଏହି ପଞ୍ଚାୟତରେ ୧୧ଜଣ ବଞ୍ଚି ଥିବାବେଳେ ସେମାନଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଉଠାଇ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ୱେବସାଇଟରୁ ଏହି ସାଂଘାତିକ ସତ ପଦାକୁ ଆସିଛି ।

ଗ୍ରାଉଣ୍ଡ ଜିରୋରେ ଆମ ପ୍ରତିନିଧି ଅନୁସନ୍ଧାନ କରିଥିଲେ । ଆଉ ଯାହା ଜାଣିବାକୁ ପାଇଥିଲେ , ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଯେଉଁମାନଙ୍କୁ ମୃତ ବୋଲି ଦର୍ଶାଯାଇଛି, ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏପରିକି କେହି କେହି ରାଜ୍ୟ ବାହାରେ କାମ କରୁଥିବା ଜଣାପଡିଛି । ହେଲେ ସେମାନଙ୍କୁ ସରକାରୀ କାଗଜ ପତ୍ରରେ ମୃତ ବୋଲି ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କାକୁ ଲୁଟି ନେଇଛନ୍ତି । ଜୀବିତ ଲୋକ ଓ ତାଙ୍କ ପରିବାର ଲୋକେ ଏହି ଖବର ଜାଣିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି କାର୍ଯ୍ୟ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।