ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା । କରୋନା ମୁକାବିଲା ପାଇଁ ବଜାରରୁ ଋଣ ଆଣି ଭରଣା କରାଯିବ ନିଅଣ୍ଟିଆ ସ୍ଥିତି । ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚରେ ହେବନି କୌଣସି ସାଲିସ । ମନ୍ତ୍ରୀ ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି

2,222

କନକ ବ୍ୟୁରୋ: କରୋନା କାଳରେ ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ପୁଣି ଥରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ବଜାରରୁ ଋଣ ଆଣି ଭରଣା କରାଯିବ ନିଅଣ୍ଟିଆ ସ୍ଥିତି । ମହାମାରୀ ମୁକାବିଲା କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପରିଷଦ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।

ମୁକାବିଲା ଖର୍ଚ୍ଚକୁ ଦୃଷ୍ଟିରେ ରଖି କାମ୍ପା ଓ ଓମବାଡସି ଜରିଆରେ ଋଣ ଆଣିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୧ ହଜାରେ କୋଟି ଟଙ୍କାର ଋଣ ଅଣାସରିଲାଣି । ସେହିପରି ବିଭିନ୍ନ ବିଭାଗର ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ସହ ବିଭିନ୍ନ କ୍ଷେତ୍ରରେ ପଡ଼ି ରହିଥିବା ଟଙ୍କାକୁ ବିନିଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ତେବେ ଜୀବନ ରକ୍ଷା ସରକାରଙ୍କ ମୁଖ୍ୟ ଲକ୍ଷ । ସ୍ୱାସ୍ଥ୍ୟ ସେବାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ମେଡିକାଲ ସେବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯିବ । ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚରେ କରାଯିବନି କୌଣସି କମି । ସ୍ୱାସ୍ଥ୍ୟ ଓ ଜୀବନଧାରଣ କ୍ଷେତ୍ରକୁ ଅଧିକ ପ୍ରଧାନ୍ୟ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚକୁ ସରକାର ଯେମିତି ଗୁରୁତ୍ୱ ଦେଉଛନ୍ତି ରୋଜଗାରକୁ ବି ସେହିପରି ଗୁରୁତ୍ୱ ଦିଆଯାଉଛି । ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମାଂଚଳରେ ନିଯୁକ୍ତ ଓ ରୋଜଗାରକୁ ପ୍ରାଧାନ୍ୟ ଦିଆଯିବ । ସେହିପରି କୃଷି ଓ ଉଦ୍ୟାନ କୃଷି, ମତ୍ସ୍ୟ ପାଳନ ସ୍ୱାଭାବିକ ଭାବେ ଚାଲିବତା ଉପରେ ବି ଗୁରୁତ୍ୱ ଦିଆଯିବା ନେଇ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।