ଡାକ୍ତର ଅଭାବ ଦୂର ପାଇଁ ବଦଳିଲା ମେଡିକାଲ ବଣ୍ଡ ପଲିସି । ସରକାରୀ କଲେଜରେ ଡାକ୍ତରୀ ପାଠ ପଢ଼ିଲେ ଓଡ଼ିଶାରେ ୨ ବର୍ଷ କାମ କରିବାକୁ ବାଧ୍ୟ, ନହେଲେ ଦେବାକୁ ପଡିବ ୨ କୋଟି ଫାଇନ୍ ।

631

କନକ ବ୍ୟୁରୋ : ଓଡିଶାରେ ଡାକ୍ତର ଅଭାବ ଦୂରକରିବାକୁ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ବଦଳାଇଛନ୍ତି ମେଡିକାଲ ବଣ୍ଡ ପଲିସି । ଏଣିକି ଓଡ଼ିଶାରେ ପିଜି କିମ୍ବା ସୁପର ସ୍ପେସାଲିଷ୍ଟ କରୁଥିବା ମେଡିକାଲ ଛାତ୍ରଛାତ୍ରୀ, ସରକାରୀ କଲେଜରେ ପାଠ ପଢ଼ିଲେ, ସରକାରୀ ଡାକ୍ତରଖାନାରେ ୨ ବର୍ଷ ସେବା କରିବାକୁ ବାଧ୍ୟ ହେବେ । ଏହାକୁ ଅମାନ୍ୟ କଲେ ପିଜି ପାଇଁ ଦେଢ କୋଟି ଓ ସୁପର ସ୍ପେସାଲିଟି ପାଇଁ ୨ କୋଟି ଟଙ୍କା ଫାଇନ୍ ଦେବାକୁ ପଡିବ ।

ବଦଳିଲା ହେଲଥ ବଣ୍ଡ ପଲିସି । ୨ ବର୍ଷ ସେବା ନହେଲେ ୨ କୋଟି ଫାଇନ୍ । ଓଡ଼ିଶାରେ ପିଜି କିମ୍ବା ସୁପର ସ୍ପେସାଲିଷ୍ଟ କରୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ନିୟମ ଆଣିଛନ୍ତି ରାଜ୍ୟ ସରକାର । ସରକାରୀ କଲେଜରେ ପାଠ ପଢ଼ିଲେ, ସରକାରୀ ଡାକ୍ତରଖାନାରେ ୨ ବର୍ଷ ସେବା କରିବାକୁ ବାଧ୍ୟ ହେବେ ଡାକ୍ତର । ଯଦି ଏଭଳି ନ କରିନ୍ତି ତାହାହେଲେ ପିଜି ପାଇଁ ଦେଢ କୋଟି ଓ ସୁପର ସ୍ପେସାଲିଟି ପାଇଁ ୨ କୋଟି ଟଙ୍କା ଗଣିବାକୁ ପଡିବ ।

ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି । ସରକାରୀ ଡାକ୍ତରଖାନା ଗୁଡିକରେ ୨୨ ଶହରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି । ଗୋଟିଏ ପଟେ ମେଡିକାଲ ସିଟ୍ ବଢ଼ୁଛି, କିନ୍ତୁ ଡାକ୍ତର ଅଭାବ ଦୂର ହୋଇପାରୁନି । ଅଭିଯୋଗ ହେଉଛି, ଓଡ଼ିଶାରେ ପାଠ ପଢ଼ି, ବାହାରେ ପ୍ରାକ୍ଟିସ୍ ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି ଡାକ୍ତର ।

ପୂର୍ବରୁ ପିଜି ଆଡମିସନ୍ ପାଇଁ ୩୬ ଲକ୍ଷ ଟଙ୍କାର ବଣ୍ଡ ପେପରରେ ଡାକ୍ତର ଛାତ୍ରଛାତ୍ରୀଙ୍କୁ ସ୍ୱାକ୍ଷର କରିବାକୁ ପଡୁଥିଲା । ଏହି ବଣ୍ଡକୁ ପାଖାପାଖି ୫ ଗୁଣା ବଢ଼ାଇ ଦିଆଯାଇଛି । ଫଳରେ ଉଚ୍ଚ ଶିକ୍ଷା ପାଇବା ପରେ ଅତି କମରେ ରାଜ୍ୟରେ ୨ ବର୍ଷ ସ୍ୱାସ୍ଥ୍ର‌୍ୟସେବା ଯୋଗାଇ ଦେବାକୁ ବାଧ୍ୟ ହେବେ ଡାକ୍ତର ।

ସର୍ଭେ କହୁଛି, ଓଡ଼ିଶାରେ ପ୍ରତି ୧୦ ହଜାର ଲୋକଙ୍କ ପିଛା ଅଛନ୍ତି ମାତ୍ର ୭.୪ ଜଣ ଡାକ୍ତର । ଜାତୀୟ ହାର ହେଉଛି ୧୧.୩ । ସେହିପରି ବିଶ୍ୱସ୍ଥାସ୍ଥ୍ୟ ସଂଗଠନ କହୁଛି, ପ୍ରତି ୧୦ ହଜାର ଲୋକରେ ଅତିକମରେ ୧୦ ଜଣ ଡାକ୍ତର ରହିବା ନିହାତି ଜରୁରି । ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବାରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଛି ।