ରାଜ୍ୟରେ କଡାକଡି ହେବ କରୋନା ନିୟମ : ସ୍ଥିତି ଉପରେ ନଜର ରଖିବେ ଜିଲ୍ଳାପାଳ, ମ୍ୟୁନିସପାଲ କମିସନର ଓ ଏସପି

ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରାଯିବ ସଚେତନ

165

କନକ ବ୍ୟୁରୋ : ଦେଶର ୫ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡିଶାରେ ଚିନ୍ତା ବଢ଼ିଯାଇଛି । ଯଦିଓ ଓଡିଶାରେ ଲଗାତାର ଭାବେ ସଂକ୍ରମଣ କମ ରହିଛି, ତେବେ ଆଗକୁ ଏହା ଯେ ଏହା ନ ବ୍ୟାପିବ ତାହା କହିବା ମୁସକିଲ । ଅନ୍ୟପଟେ ରାଜ୍ୟରେ କରୋନା କଟକଣାକୁ ଆଉ ପୂର୍ବଭଳି କେହି ମାନୁନଥିବାରୁ ଏହି ଆଶଙ୍କା ଆହୁରି ବଢ଼ି ଯାଇଛି । କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ, କରୋନାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆଣି ଦେଇଛି ।

ଏନେଇ ସ୍ପେଶାଲ ରିଲିଫ୍ କମିଶନର, ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ଏସପି ମାନଙ୍କୁ ଚିଠି ଲେଖିଛନ୍ତି । କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୁରତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତୁତି ଭିତରେ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନ୍ ମାନିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ମାନନ୍ତୁ ।

୧- ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସମାଜିକ ଦୂରତା ମାନିବା ନିୟମ ଉପରେ ଜିଲ୍ଲା ଓ ପୁଲିସ ଅଧିକାରୀ ନଜର ରଖିବେ
୨- ବଜାର ଓ ହାଟ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାଉଡସ୍ପିକର ଜରିଆରେ ସତର୍କ କରିବେ ଜିଲ୍ଲା ପ୍ରଶାସନ
୩- ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ନିୟମ ପାଳନ ନେଇ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ
୪- ବାହାଘର, ଧାର୍ମିକ ସମାବେଶ, ଖେଳ, ସାଂସ୍କୃତିକ ଆଦି ସମାବେଶରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ ହେବ
୫- ସ୍କୁଲ ଓ କଲେଜରେ ନିୟମ ପାଳନ ଉପରେ ସଂପୃକ୍ତ ଅଧିକାରୀ ଓ ଶିକ୍ଷକମାନେ ନଜର ରଖିବେ
୬-କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଦରକାର
୭-ହୋଟେଲ, ରେସ୍ତୁରାଂଟ, ଢ଼ାବା ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଖାଇବା ସମୟରେ ନିୟମ ପାଳନ ଉପରେ ପୁଲିସ ନଜର ରଖିବ
୮-ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ କରୋନା ନିୟମ ଭାଙ୍ଗିଲେ ଦୋକାନକୁ ସିଲ୍ କରାଯାଇପାରେ