ହ୍ୱିଲ ଚେୟାରରେ ନୂଆ ରେକର୍ଡ କରିଥିବା କମଳାକାନ୍ତଙ୍କୁ ସମ୍ବର୍ଦ୍ଧନା : ୧ଲକ୍ଷ ଟଙ୍କାର ପୁରସ୍କାର ଦେଲା କ୍ରୀଡା ଓ ଯୁବସେବା ବିଭାଗ

62

କନକ ବ୍ୟୁରୋ : ପାରା ଆଥଲେଟ୍‌ କମଳାକାନ୍ତ ନାୟକଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । କଳିଙ୍ଗ ହକି ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଆର୍‌. ଭିନିଲ୍‌କ୍ରିଷ୍ଣା ତାଙ୍କୁ ସମ୍ବର୍ଧିତ କରିବା ସହ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି । ଏହ‌ି ଅବସରରେ ସଚିବ କହିଥିଲେ ଯେ ନିଜର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ଦ୍ବାରା କମଳାକାନ୍ତ ବିଶ୍ବରେ ଏକ ନୂଆ ରେକର୍ଡ ସୃଷ୍ଟି କରିବା ସହ ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଉଦାହରଣ ସଷ୍ଟି କରିଛନ୍ତି ।

ଆଗାମୀ ଦିନରେ ପାରା ଅଲିମ୍ପିକ୍ସରେ ଅଶଂଗ୍ରହଣ ପାଇଁ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବା ପାଇଁ ବିଭାଗ ପକ୍ଷରୁ ପ୍ରଚେଷ୍ଟା କରାଯିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର ନାୟକ, ବେଟରଲାଇଫ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ୨୮ ବର୍ଷୀୟ ଦିବ୍ୟାଙ୍ଗ ଯୁବକ କମଳାକାନ୍ତ ହ୍ବିଲ୍‌ଚେୟାର୍‌ରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିମି ଯାତ୍ରା କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ।