ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲକୁ ଚାଲୁ କରିବା ପାଇଁ ନିର୍ଦ୍ଦେଶ : ଆବଶ୍ୟକସ୍ଥଳେ ୫୦ ଶଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ

52

କନକ ବ୍ୟୁରୋ : କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସରକାରୀ ଓ ବେସରକାରୀ କୋଭିଡ୍ ହସପିଟାଲକୁ ପୁଣିଥରେ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ପୂର୍ବରୁ ଚାଲିଥିବା ହସପିଟାଲକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅବଶ୍ୟକ ଅନୁସାରେ ପର୍ଯ୍ୟାୟକ୍ରମେ ଏହି ହସପିଟାଲଗୁଡିକ କାର୍ଯ୍ୟ କରିବ ।

ସେହିପରି ଆବଶ୍ୟକ ପଡିଲେ ପ୍ରତି ହସପିଟାଲରେ ୫୦ଟି ଲେଖାଁଏ ଶଯ୍ୟା ବୃଦ୍ଧି କରିବାକୁ କୁହାଯାଇଛି । ସାଧାରଣ ଶଯ୍ୟାର ୨୦ ପ୍ରତିଶତ ଆଇସିୟୁ ଏବଂ ଆଇସିୟୁର ୫୦ ପ୍ରତିଶତ ବେଡ୍ରେ ଭେଂଟିଲେଟର ରଖିବାକୁ ପରାମର୍ଶ ଦିଆଯାଇଛି । ବଡ଼ ହସପିଟାଲ୍ ଯେଉଁଠି ୧୦୦ରୁ ଅଧି ବେଡ୍ ଥିବ, ସେଠାରେ ସମସ୍ତ ପ୍ରକାର ସର୍ଜରୀ, ମାଟର୍ନିଟି କେୟାର, ଏନଆଇସିୟୁ, ଡାଇଲେସିସ୍ ସୁବିଧା ରଖିବାକୁ ନିର୍ଦ୍ଦେଶ କରାଯାଇଛି ।

ସମସ୍ତ ଘରୋଇ ଡାକ୍ତରଖାନାରେ ଯେଉଁଠି ୩୦ କିମ୍ବା ତା’ଠାରୁ ଅଧିକ ବେଡ୍ ରହିଛି, ସେଠାରେ ଅତି କମରେ ୧୦ ପ୍ରତିଶତ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ବଢ଼ିଲେ ପର୍ଯ୍ୟାୟ କ୍ରମେ ଉଭୟ ଜେନେରାଲ ବେଡ୍ ଓ ଆଇସିୟୁ ର ୮୦ ପ୍ରତିଶତ ବେଡ୍ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସଂରକ୍ଷିତ ରଖିବାକୁ କୁହାଯାଇଛି । ଆବଶ୍ୟକ ହେବା ମାତ୍ରେ କୋଭିଡ୍ ହସପିଟାଲ ଚାଲୁ କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।