ରଥଯାତ୍ରାକୁ ନେଇ ହାଇକୋର୍ଟରେ କଣ ପକ୍ଷ ରଖିଥିଲେ ରାଜ୍ୟ ସରକାର? କରୋନାକୁ ଦୃଷ୍ଟିରେ ରଖି କେଉଁ ନିଷ୍ପତ୍ତି ନେବେ ଓଡ଼ିଶା ସରକାର ।

285

କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ମାତ୍ର ୭ ଦିନ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରାକୁ ଅନାଇ ବସିଛନ୍ତି କୋଟି କୋଟି ଭକ୍ତ । ଏହାରି ଭିତରେ ରଥଯାତ୍ରାକୁ ନେଇ ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ମାମଲା ପହଁଚିଗଲାଣି । ତେବେ ରଥଯାତ୍ରା ହେବ କି ନାହିଁ ସେନେଇ ସରକାର ଏଯାଏ ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ରଥଯାତ୍ରା ନକରିବାକୁ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ରାଜ୍ୟ ସରକାର ନିଜ ପକ୍ଷ ରଖିଥିଲେ । ଏଥିରେ ସ୍ପଷ୍ଟ କରିଛନ୍ତି ଯେ, ରଥଯାତ୍ରା କରାଯିବ କି ନାହିଁ ସେନେଇ ଓଡିଶା ସରକାର ରଥଯାତ୍ରାର ନିର୍ଦ୍ଧାରିତ ତାରିଖର ଖୁବ୍ ଅଳ୍ପଦିନ ପୂର୍ବରୁ, ପରିସ୍ଥିତି ଦେଖି ନିଷ୍ପତି ନେବେ ।

ରଥଯାତ୍ରା ବନ୍ଦ କରିବା ପାଇଁ ଓଡିଶା ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ମାମଲାରେ ଗତ ଜୁନ ୯ ତାରିଖ ଦିନ ରାୟ ଦେଇଥିଲେ ଖଣ୍ଡପୀଠ । ହାଇକୋର୍ଟ କହିଥିଲେ ରଥଯାତ୍ରା କରିବା ନେଇ ସ୍ଥିତି ଦେଖି ଓଡିଶା ସରକାର ନିଷ୍ପତି ନେବେ । ରଥଟାଣିବା ପାଇଁ ମେସିନ୍ କିମ୍ବା ହାତୀର ବ୍ୟବହାର ନେଇ ରାଜ୍ୟ ସରକାର ବିଚାର କରି ପାରିବେ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡିଶା ସରକାର କଣ ନିଷ୍ପତି ନେଇଛନ୍ତି ଏବଂ ରଥଯାତ୍ରାକୁ ନେଇ କଣ ଚିନ୍ତା କରୁଛନ୍ତି ।

ଓଡିଶା ସରକାରଙ୍କ ଆଡଭୋକେଟ ଜେନେରାଲ କହିଥିଲେ, ରଥଯାତ୍ରା କରାଯିବ କି ନାହିଁ ସେନେଇ ଓଡିଶା ସରକାର ରଥଯାତ୍ରାର ନିର୍ଦ୍ଧାରିତ ତାରିଖର ଖୁବ୍ ଅଳ୍ପଦିନ ପୂର୍ବରୁ, ପରିସ୍ଥିତି ଦେଖି ନିଷ୍ପତି ନେବେ । ରଥ ନିର୍ମାଣ ନେଇ ଯେତେବେଳେ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ମତ ଲୋଡିଥିଲେ , ସେତେବେଳେ କେନ୍ଦ୍ର ସରକାର ରଥ ନିର୍ମାଣ ନେଇ ଅନୁମତି ଦେଇଥିଲେ । ହେଲେ ମହାମାରୀ ଆଇନ୍ ଅନୁସାରେ ଲଗାଯାଇଥିବା କଟକଣାକୁ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟରେ ଏହି ମାମଲାରେ ଓଡିଶା ସରକାରଙ୍କ ଆଡଭୋକେଟ ଜେନେରାଲ କେନ୍ଦ୍ର ସରକାରଙ୍କ ସେହି ଚିଠି କୋର୍ଟଙ୍କ ନଜରକୁ ଆଣିଥିଲେ । ଯେଉଁଥିରେ କେନ୍ଦ୍ର ସରକାର, ଓଡିଶା ସରକାରଙ୍କ ଉପରେ ରଥଯାତ୍ରା କରିବେ କି ନାହିଁ ସେନେଇ ନିଷ୍ପତି ଛାଡିଥିଲେ । ସେତେବେଳର ପରିସ୍ଥିତି ଦେଖି ନିଷ୍ପତି ନେବାକୁ କେନ୍ଦ୍ର ସରକାର କହିଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ ଓଡିଶା ସରକାର ।