ମୁଦ୍ରଣ କମିଲା, ଗଛ ବଞ୍ଚିଲା: ୫୦୦ ସେଟରୁ ୨୦୦କୁ ହ୍ରାସ ହେଲା ବଜେଟ ପୁସ୍ତିକା, ଇଲେକ୍ଟ୍ରୋନିକ୍ସ ମାଧ୍ୟମକୁ ଗୁରୁତ୍ୱ

154

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହେଲା ଚଳିତ ଆର୍ଥିକ ବର୍ଷ ପାଇଁ ବଜଟେ । ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ବଡ କଥା କହିଛନ୍ତି ଅର୍ଥମନ୍ତ୍ରୀ । କୃଷି ବଜେଟ ଉପସ୍ଥାପନା କଲାବେଳେ ପରିବେଶ ସୁରକ୍ଷା ଓ ବୃକ୍ଷ ସୁରକ୍ଷା ନେଇ ଏକ ବଡ କଥା କହିଛନ୍ତି ମନ୍ତ୍ରୀ ପୂଜାରୀ ।

ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ବଜେଟରେ ପୁସ୍ତିକା ବାବଦକୁ ମୁଦ୍ରଣ ହେଉଥିବା ୫୦୦ ସେଟରୁ ୨୦୦ ସେଟକୁ ହ୍ରାସ କରାଯାଇଛି । ଅଂଶିଦାର ମାନଙ୍କୁ ବଜେଟ ପୁସ୍ତିକା ମୁଦ୍ରଣ ବଦଳରେ ଇଲେକ୍ଟ୍ରୋନିକ ମାଧ୍ୟମରେ ଯୋଗାଇ ଦିଆଯାଇଛି । ଯାହା ଦ୍ୱାରା ୫୭ ଲକ୍ଷ ପୃଷ୍ଠାର ମୁଦ୍ରଣ କମିଛି ଆଉ ପ୍ରାୟ ୭୦୦ ଗଛକୁ ବଞ୍ଚାଇ ହୋଇଛି ବୋଲି ବଜେଟ ଉପସ୍ଥାପନା ବେଳେ ମନ୍ତ୍ରୀ ପୂଜାରୀ କହିଛନ୍ତି ।

ତେବେ ପୂର୍ବରୁ ସବୁ ଅଂଶିଦାର ମାନଙ୍କୁ ମୁଦ୍ରଣ ପୁସ୍ତିକା ଦେବା କାରଣରୁ ଅନେକ ପୃଷ୍ଠା ଛାପା ହେଉଥିଲା ଆଉ ଅନେକ ଗଛ ମଧ୍ୟ ନଷ୍ଟ ହେଉଥିଲା । ମାତ୍ର ଚଳିତ ବଜେଟରେ ଏହାକୁ ବୈଦ୍ୟୁତିକ ମାଧ୍ୟମ କରିଥିବାରୁ ଅନେକ ଗଛ ସୁରକ୍ଷିତ ରହିଛି । ତେବେ ଆଗାମୀ ବର୍ଷ ମାନଙ୍କରେ ସମ୍ପୁର୍ଣ୍ଣ ଭାବେ ବିନା କାଗଜରେ ଅର୍ଥାତ ଇଲେକ୍ଟ୍ରୋନିକ୍ସ ବଜେଟ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନିରଞ୍ଜନ କହିଛନ୍ତି ।